ଅଙ୍ଗନୱାଡି କେନ୍ଦ୍ରରେ ଦୁର୍ନୀତି : କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଶିଶୁ, ଗର୍ଭବତୀ , ପ୍ରସୂତି, ମହିଳା ମାନଙ୍କ ପାଇଁ ବ୍ୟାପକ ଯୋଜନା ତିଆରି କରୁଛନ୍ତି ସରକାର . ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁ ଯୋଜନା ହେଉଛି ବାଟବଣା । ଲୋକେ ବଞ୍ଚିତ ହେଉଛନ୍ତି ସରକାରୀ ସୁବିଧାରୁ । ଏହିଭଳି ଏକ ଅଭିଯୋଗ ଆସିଅଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଳକ ଟିକନପୁର୍ ଅଙ୍ଗନୱାଡି କେନ୍ଦ୍ର ବିରୁଦ୍ଧରେ . ନିର୍ଦ୍ଦିଷ୍ଟ କେନ୍ଦ୍ର ବିରୋଧରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ହାତରେ ହାତ ଧରି ବସିଛନ୍ତି । ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ କଳାପ ରହିଛି ସନ୍ଦେହ ଘେରରେ । ହିତାଧିକାରୀଙ୍କୁ ଖାଦ୍ୟ ଦେବାରେ ପାତର ଅନ୍ତର, ଅଣ୍ଡା ଆଦି ପ୍ରଦାନ କରିବାରେ ଅବହେଳା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ହଡପ ସମ୍ପର୍କରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ସର୍ବସମ୍ମୁଖରେ କର୍ମୀ ସ୍ମିତା ସ୍ଵାଇଁ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏନେଇ ଉପରିସ୍ଥ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଜ୍ଵର ବାଉଳା ରେ ତାଟିଆ କାମୁଡ଼ା ଭଳି ସମ୍ପୃକ୍ତ କର୍ମୀ ଓ ତାଙ୍କ ସ୍ଵାମୀ ସହାୟିକା ଙ୍କୁ ଚାକିରୀରୁ ବାହାର କରିଦେବା ପାଇଁ ଧମକ ଦେଇଛନ୍ତି ବୋଲି ସହାୟିକା ଅଭିଯୋଗ କରିଛନ୍ତି । ଏପରିକି ସୁପରଭାଇଜର୍ ସହାୟିକାଙ୍କୁ ବାରମ୍ଵାର କାରଣ ଦର୍ଶାଅ ନୋଟିସ୍ ଜାରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ କରୁଥିବା ବେଳେ, କର୍ମୀ ଜଣକ ଅଣ୍ଡା ଛତୁଆ ଦିଆଯିବ କହି ଗାଁ ସାରା ବୁଲି ସାଧା କାଗଜ ରେ ଦସ୍ତଖତ ନେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ସିଡିପିଓ ମହାଶୟା ମଧ୍ୟ ତାଙ୍କ କାର୍ଯ୍ୟାଳୟ ରେ ବହୁ ସମୟ ଧରି ଅନୁପସ୍ଥିତ ରହୁଥିବା ଅଭିଯୋଗ ଆସିଛି । ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଏହି ଘଟଣା ବିଷୟରେ ଜିଲ୍ଲା ଅଧିକାରୀ DSW ଙ୍କୁ ଅବଗତ କରାଇଥିଲେ ‌ଅଭିଯୋଗକାରୀ । ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର୍, ସିଡିପିଓଙ୍କ ଚକ୍ରାନ୍ତରେ ସହାୟିକା ବଳି ପଡୁଛନ୍ତି ନାଁ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *