ଢେଙ୍କାନାଳ (ଆୱାଜ ମିଡିଆ ) – ରଞ୍ଜିତ ବେହେରା : ଗରୀବ ଅସହାୟ ଲୋକଙ୍କ ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା । ହେଲେ ସଠିକ ସର୍ବେକ୍ଷଣ ହେଉ ନଥିବାରୁ ଅନେକ ସ୍ଥାନରେ ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି କରୁଣ ଦୃଶ୍ୟ ପୁଣି ଆଜି ଲୋକ ଲୋଚନାରେ ପଡିଛି । ବାସ୍ତବିକ ଯୋଜନା ର ସଠିକ ହକଦାର ଯିଏ ସେ ଏହି ସବୁ ଯୋଜନା ଠାରୁ ବହୁତ ଦୂରରେ ପଡି ରହୁଛି । ଆଜି ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ରାଙ୍ଗଥାଳି ଗ୍ରାମରେ । କାମିନୀ ପ୍ରଧାନଙ୍କ ପରିବାର କହିଲେ ୨ପୁଅ ବଡ଼ପୁଅ ମନୋଜ ପ୍ରଧାନ ଯିଏ କି ଜନ୍ମରୁ ଅନ୍ଧ ଏବଂ ସାନ ପୁଅ ଧରଣୀ ପ୍ରଧାନ ଓ ଗୋଟିଏ ଝିଅ ସୁଜାତା ପ୍ରଧାନ, ସେ ବି ଜନ୍ମରୁ ଅନ୍ଧ । ସ୍ୱାମୀ ମହେଶ୍ୱର ପ୍ରଧାନ ଏମାନଙ୍କୁ ଅଧାବାଟରେ ଛାଡି ଆରପାରି କୁ ଚାଲିଯାଇଛନ୍ତି । ନିଜେ କାମିନୀ ଯାହା ମୂଲ ଲାଗି ପରିବାର ପୋଷନ୍ତି ।

ପିଲାମାନଙ୍କର ଅନ୍ଧତ୍ୱ ,ମା କାମିନୀ ପ୍ରଧାନକୁ ଭିତରୁ ବେସାହାରା କରିଦେଉଛି । ସେଥିରେ ପୁଣି ସରକାରୀ ଯୋଜନା ତାଙ୍କଠୁ ବହୁ ଦୂରରେ । ସରକାରୀ ସାହାଯ୍ୟ କହିଲେ ଯେଉଁ ରାସନ କାର୍ଡ ଖଣ୍ଡେ ମିଳିଛି ସେଥିରେ ପୁଣି ସାନପୁଅ ଓ ଝିଅର ନା ନାହିଁ । ଝିଅ ସୁଜାତା କୁ ଭତ୍ତା ତ ମିଳୁନି , ରାସନ ଚାଉଳ କି ଅନ୍ୟକିଛି ସରକାରୀ ସହାୟତା ମିଳୁନାହିଁ । ସରପଞ୍ଚଙ୍କ ଠୁ ଆରମ୍ଭ କରି ସମସ୍ତ ସରକାରୀ ବାବୁ ମାନଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ପରିଶେଷରେ ଆଜି ଏହି ସବୁ ଦୁଃଖ ଜଣାଇବା ପାଇଁ କାମିନୀ ପ୍ରଧାନ ତାଙ୍କର 3 ପିଲାଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଭେଟିବାକୁ ଆସିଥିଲେ । ମାନ୍ୟବର ଜିଲ୍ଲାପାଳ ଏହି ଘଟଣା ପ୍ରତି ଧ୍ୟାନଦେଇ ତାଙ୍କୁ ସରକାରୀ ଯୋଜନାରେ ସାମିଲ କଲେ ସେ ଖୁସିହେବେ ବୋଲି ଗୁହାରି କରିଛନ୍ତି ।

