ଉପର ମଣିନାଗ ପୀଠକୁ ରୋପ-ୱେ ନିର୍ମାଣ ପାଇଁ ସାଧାରଣରେ ଦାବି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ପର୍ଯଟନ କ୍ଷେତ୍ର ତଥା ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ‘ମଣିନାଗ ଙ୍କ ପୀଠକୁ ରୋପ୍ ୱେ ନିର୍ମାଣ କରିବାକୁ ଭକ୍ତଙ୍କ ମହଲ ରେ ଦାବି ହେଉଛି । ରଣପୁର ସମେତ ଜିଲ୍ଲାର ଐକିହ୍ୟ ବହନ କରୁଥିବା ଏହି ପୀଠ ଟି ପାହାଡ଼ ପାଦ ଦେଶରୁ ପ୍ରାୟ ୨ହଜାର ମିଟର ଉଚ୍ଚରେ ଅବସ୍ଥିତ । ପ୍ରଭୁ ନୀଳମାଧବ ଅନ୍ତର୍ଧ୍ୟାନ ହୋଇ ପୁରୀ ଗଲା ପରେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଶବର ରାଜା ବିଶ୍ଵାବସୁ ଙ୍କ ସାନଭାଇ ବିଶ୍ଵ ବାସବ ମା ‘ ଙ୍କୁ ଏହି ପାହାଡ଼ ଶିଖରରେ ସ୍ଥାପନ କରିଥିଲେ । ଏହା ଉପର ମଣିନାଗ ଭାବେ ପରିଚିତ । ରଣପୁର ର ରାଜା ପାହାଡ଼ ଶିଖରର ସେହି ସ୍ଥାନରେ ମା’ ଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସବୁଦିନ ପାହାଡ଼ ଉପରକୁ ଯାଇ ପୂଜାର୍ଚ୍ଚନା କରିବା କଷ୍ଟ ସାଧ୍ୟ ହେଉଥିବାରୁ ଦିନେ ମା’ଙ୍କ ସ୍ୱପ୍ନାଦେଶ କ୍ରମେ ପାହାଡ଼ ପାଦଦେଶରେ ଦେଶରେ ଅନ୍ୟ ଏକ ବିଗ୍ରହ ପ୍ରତିଷ୍ଠା କଲେ । ସେହି ଦିନରୁ ପାଦ ଦେଶରେ ପୂଜା ପାଉଥିବା ମା ‘ଙ୍କ ପୀଠ ତଳ ମଣିନାଗ ପୀଠ ଭାବେ ପରିଚିତ ହେଲା ଏବଂ ପାହାଡ଼ ଶିଖର ପୀଠ ଉପର ମଣିନାଗ ପୀଠ ଭାବେ ବିବେଚିତ ହେଲା ।

ଏହି ଦୁଇ ପୀଠକୁ ଦୈନିକ ଜିଲ୍ଲା ସମେତ ଜିଲ୍ଲା ବାହାର ର ଭକ୍ତ ମାନେ ଦର୍ଶନ ପାଇଁ ଆସୁଥିବା ସମୟରେ ବିବାହ , ବ୍ରତ, ହୋମ ଯଜ୍ଞ ପରି ମାଙ୍ଗଳିକ କର୍ମ ମଧ୍ୟ କରିଥାନ୍ତି । ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ଶୋଭା ରାଜି ମଧ୍ୟରେ ଅବସ୍ଥିତ ଉପର ମଣିନାଗ ପୀଠକୁ ଭକ୍ତ ମାନେ ଯିବା ସମୟରେ ରାସ୍ତା ତଥା ପାନୀୟ ଜଳର ସମସ୍ୟା ଥିବାରୁ ମା ‘ଙ୍କ ବିଜେସ୍ଥଳୀକୁ ଯାଇ ନ ପାରି ନିରାଶାରେ ପାହାଡ଼ର ଅଧା ବାଟ ରୁ ଫେରିଥାନ୍ତି । ଭକ୍ତ ମାନଙ୍କ ବୃହତ୍ତର ସ୍ୱାର୍ଥ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ପାହାଡ଼ ଶିଖରରେ ପୂଜା ପାଉଥିବା ଉପର ମଣିନାଗ ପୀଠକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ଓ ପର୍ଯଟନ ବିଭାଗ ନିକଟ ରେ ଦାବି କରିବା ପରେ ରାସ୍ତା ନିର୍ମାଣ ହୋଇଛି ।

ଉପର ମଣିନାଗ ପୀଠକୁ ରାସ୍ତା ନିର୍ମାଣ ଶେଷ ହେଇଥିବା ବେଳେ ଏବେ ମଧ୍ୟ ଅନେକ ସ୍ଥାନ ବିପଦ ସଙ୍କୁଳ ରହିଛି । ତେବେ ସବୁ ବୟସର ଶ୍ରଦ୍ଧାଳୁ ଏବଂ ଭିନ୍ନକ୍ଷମ ମାନେ ପାହାଡ଼ ରେ ଥିବା ଅଙ୍କା ବଙ୍କା ରାସ୍ତା ଦେଇ ପାଦ ଦେଶରୁ ୫ କି.ମି. ଦୂରରେ ଅବସ୍ଥିତ ମା ‘ଙ୍କ ବିଜେସ୍ଥଳୀ କୁ ଯିବା ସମ୍ଭବ ହେଇ ନଥିବାରୁ ଏକ ରୋପ-ୱେ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ରୋପ-ୱେ ନିର୍ମାଣ କରାଗଲେ ଶତକଡା ୯୦ ଭାଗ ଭକ୍ତ ଉପର ପୀଠକୁ ଯାଇ ମା ‘ ଙ୍କ ଦର୍ଶନ ଲାଭର ସୁଯୋଗ ପାଇବା ସହ ଯଥେଷ୍ଟ ରାଜସ୍ୱ ମଧ୍ୟ ଆଦାୟ ହୋଇପାରିବ । ରୋପ-ୱେ ନିର୍ମାଣ ହେଲେ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇବ । ପର୍ଯ୍ୟଟକ ମାନେ ସବୁଜିମାମୟ ପରିବେଶ ସହଜରେ ଉପଭୋଗ କରିପାରିବେ ଏବଂ ମା”ଙ୍କ ଦର୍ଶନ ମଧ୍ୟ କରିପାରିବେ । ରାଜ୍ୟ ପର୍ଯଟନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *