ରଣପୁର ପ୍ରଜା ଆନ୍ଦୋଳନର ଅମର ସେନାନୀ ସହୀଦ ରଘୁ – ଦିବାକରଙ୍କ ଶ୍ରାଦ୍ଧ ଦିବସ ପାଳିତ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସକୁ ରୁଦ୍ଧିମନ୍ତ, ରୁଚିମନ୍ତ ଓ ସମୃଦ୍ଧ କରିଥିବା ବିଭିନ୍ନ ଘଟଣା ମଧ୍ୟରୁ ରଣପୁର ପ୍ରଜା ଆନ୍ଦୋଳନ ଅନ୍ୟତମ l 1939 ମସିହା ଜାନୁଆରୀ 5 ତାରିଖ ଦିନ ବ୍ରିଟିଶ ପଲିଟିକାଲ ଏଜେଣ୍ଟ ମେଜର ବେଜେଲ ଗେଟଙ୍କୁ ଆନ୍ଦୋଳନକାରୀ ମାନେ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ l ଯେଉଁ ଘଟଣା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବାଦଭୂଇଁ ଗ୍ରାମର ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲୋ ଗ୍ରାମର ଦିବାକର ପରିଡାଙ୍କୁ 1941 ମସିହା ଏପ୍ରିଲ 4 ତାରିଖ ଦିନ ଫାଶୀ ଦିଆ ଯାଇଥିଲା l

ଏହି ସହୀଦଙ୍କୁ ମନେ ପକାଇ ପ୍ରତିବର୍ଷ ଏପ୍ରିଲ 4 ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି l ଏହି ଦୁଇ ଅମର ସେନାନୀଙ୍କୁ 1941 ମସିହା ଏପ୍ରିଲ ମାସ 4 ତାରିଖ ସୂର୍ଯ୍ୟ ଉଦୟ ପୂର୍ବରୁ ବିହାର ରାଜ୍ୟର ଭାଗଲପୁର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା l ସେମାନଙ୍କର ଏକମାତ୍ର ଅପରାଧ ଥିଲା ଯେ ଦେଶ, ଜାତି, ମାତୃଭୂମିକୁ ଭଲ ପାଇବା l ଗଡ଼ଜାତ ରାଜ ଶାସନର ଅନ୍ୟାୟ, ଅନୀତି, ଶୋଷଣ, କଷଣ, ଜୁଲମ ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରି ଆନ୍ଦୋଳନ କରିବା l ପରାଧୀନ ଭାରତ ବର୍ଷରେ ଏକ ଶୋଷଣ ମୁକ୍ତ ସମାଜର ସ୍ୱପ୍ନ ଦେଖୁଥିଲେ ଏହି ଦୁଇ ସହୀଦ ରଘୁ-ଦିବାକର l ଏହି ପରିପ୍ରେକ୍ଷୀରେ ରଣପୁରରେ ସହୀଦ ରଘୁ-ଦିବାକର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି l ରଘୁ-ଦିବାକର ଆସୋସିଏସନ ଦ୍ୱାରା ପ୍ରଭାତରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହା ପରେ ଆସୋସିଏସନ ପରିସରରେ ଥିବା ରଘୁ-ଦିବାକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ରଣପୁର ପଞ୍ଚୁଦୋଳ ପଡିଆ ଏବଂ ଲୋଧାଚୁଆ ଠାରେ ଥିବା ସହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l ସକାଳ 8 ଘଟିକା ସମୟରେ ତାରିଆ ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ଏହା ପରେ ବାଦଭୂଇଁ ଓ ଗଡ଼ବାଣୀକିଲୋ ଗ୍ରାମରେ ଥିବା ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ସକାଳ 9 ଘଟିକା 30 ମିନିଟ ସମୟରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ରଘୁ-ଦିବାକର ଆସୋସିଏସନ ସଭାପତି ସୁରେଶ ଚନ୍ଦ୍ର ମିଶ୍ର, ନଗର ସଭାପତି ସ୍ୱରାଜ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସାଂସଦ ପ୍ରତିନିଧି ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, ରାଜ କିଶୋର ପଟ୍ଟନାୟକ, ପ୍ରଭାତ କୁମାର ଦଳବେହେରା, ଲିଙ୍ଗରାଜ ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ସୁଶାନ୍ତ ବିଶ୍ୱାଳ, ବିଶ୍ୱ ରଞ୍ଜନ ପଟ୍ଟନାୟକ, ଆଲୋକ ଜେନା, କୈଳାଶ ମହାରଣା, ସତ୍ୟ ନାରାୟଣ ମହାପାତ୍ର, ସାମ୍ବାଦିକ ରଘୁନାଥ ମହାନ୍ତି, ବ୍ରଜ ରଣସିଂହ, ଅଭିମନ୍ୟୁ ମହାରଣାଙ୍କ ସହ ରଣପୁର ବହୁ ଜନସାଧାରଣ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *