ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ମହିଳା ସଙ୍ଗଠନ ” ଅନନ୍ୟା” ଆନୁକୂଲ୍ୟରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣରୁ ନିଜକୁ କିଭଳି ସତର୍କ ରହି ସରକାରଙ୍କ କରୋନା ନିୟମାବଳୀ ତଥା ମାର୍ଗଦର୍ଶିକାକୁ ମାନିବେ ସେ ଉଦ୍ଦେଶ୍ୟ ନେଇ ଏକ ବିରାଟ ଜନ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ସ୍ଥାନୀୟ ମହାରାଜାଙ୍କ ରାଜ ନହର ଠାରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ପୌର ପରିଷଦର ଯନ୍ତ୍ରୀ ସଞ୍ଜୀବ କୁମାର ଚମ୍ପତ୍ତି ଓ “ଅନନ୍ୟା”ର ଉପଦେଷ୍ଟା ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାଟି ନଗର ପରିକ୍ରମା କରିବା ସହ କରୋନା ସଂକ୍ରମଣରୁ ନିଜକୁ କିଭଳି ଦୁରେଇ ରହିବେ , ସେ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ପ୍ଲା-କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ ।
ସ୍ୱଚ୍ଛସାଥୀ ଓ ଆଶାକର୍ମୀ ମାନେ ଜନ ସଚେତନତା ଶୋଭାଯାତ୍ରା ବେଳେ ଲୋକମାନଙ୍କୁ ମାସ୍କ ଓ ପ୍ରଚାରପତ୍ର ବଣ୍ଟନ କରିବା ସହ ସାନିଟାଇଜର ହାତରେ ଲଗାଇବା ପାଇଁ ଦେଇଥିଲେ । “ଅନନ୍ୟା”ର ସଭାନେତ୍ରୀ ମମତା ଆପଟ , ସମ୍ପାଦିକା ତନୁଜା ଶତପଥୀ , ଉପ ସଭାନେତ୍ରୀ ମାତଙ୍ଗିନୀ ଗୁରୁ , ପଣ୍ଡିତ ନରସିଂହ ଗୌଡ଼ , ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ନେତ୍ରାନନ୍ଦ ଶତପଥୀ , ମମତା ପାଢ଼ୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପାରଳାଖେମୁଣ୍ଡିର ପୌର ପରିଷଦ କର୍ମଚାରୀ , ପୋଲିସ ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ , ସ୍ୱଚ୍ଛ ସାଥୀ , ଆଶାକର୍ମୀ ଓ ଅନନ୍ୟା ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଗତିଶୀଳ ମହିଳା ସଙ୍ଗଠନ “ଅନନ୍ୟା”ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଏବଂ ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା କହିଛନ୍ତି , କରୋନାରୁ ସତର୍କ ରହିବା ପାଇଁ ଆମ ହାତରେ ହିଁ ମନ୍ତ୍ର ରହିଛି । ଏ ଦିଗରେ ସରକାରଙ୍କ ନିୟମାବଳୀକୁ ନିଶ୍ଚିତ ମାନିବା । ମାସ୍କ ପିନ୍ଧିବା ସହ ହାତ ସବୁବେଳେ ଧୋଇବା ଓ ସାନିଟାଇଜ କରିବା । ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ । ଜନଗହଳି ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା ସହ ସାମାଜିକ ଦୂରତା ବଜାୟ ରଖିବା । କେନ୍ଦ୍ର ସରକାରଙ୍କ କରୋନା ଟିକାଦାନ ବ୍ୟବସ୍ଥାର ସମସ୍ତେ ସୁଯୋଗ ନେଇ କରୋନା ମୁକ୍ତ ସମାଜ ଗଠନରେ ସହାୟକ ହେବା ପ୍ରଭୃତି କରୋନା ସଚେତନତା ବାର୍ତ୍ତା ସମ୍ପର୍କରେ କହିଥିଲେ ।