ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ ଓ କୋଭିଡ ସ୍ଥିତି ସମୀକ୍ଷା !!

0
185

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସିମାବର୍ତ୍ତି ଜିଲ୍ଲା ମାନଙ୍କରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମ୍ବଲପୁର ଗସ୍ତ ରେ ଆସି ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ର କୋଭିଡ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସ୍ତରୀୟ ଟିମ୍ ଭୀମସାର କୋଭିଡ ହସ୍ପିଟାଲ୍ ପରିଦର୍ଶନ କରିବା ସହିତ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ଉପକରଣ , ଔଷଧ ପତ୍ର ଆଦି ବିଷୟରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଛନ୍ତି । ଭୀମସାର ଠାରେ ଥିବା ଭେଷଜ ୱାର୍ଡ ର ନୂତନ ବିଲ୍ଡିଂ କୁ ୩୦୦ ବେଡ୍ ବିଶିଷ୍ଟ ଅତିରିକ୍ତ କୋଭିଡ ହସ୍ପିଟାଲ୍ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୫୦ ଟି ବେଡ୍ ଏବଂ ୫୦ ଟି ଆଇ.ସି.ୟୁ. ବେଡ୍ ବ୍ୟବସ୍ଥା କରିବା ନିମନ୍ତେ ନିଷ୍ପତି ହୋଇଥିଲା । ରୋଗୀ ମାନଙ୍କ ପାଇଁ ଅମ୍ଳଜାନ ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ୧୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହା ସହ ଭୀମସାର ଠାରେ ପୂର୍ବରୁ ଥିବା କୋଭିଡ ହସ୍ପିଟାଲ୍ ରେ ବେଡ୍ ଓ ଆଇ.ସି.ୟୁ. ସଂଖ୍ୟା କୁ ଯଥାକ୍ରମେ ୧୭୫ ଓ ୫୦ କୁ ବୃଦ୍ଧି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହିପରି ଭାବେ ଭୀମସାର୍ କୋଭିଡ ହସ୍ପିଟାଲ୍ କ୍ଷମତା କୁ ମୋଟ ୫୨୫ ବେଡ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ସମୀକ୍ଷା ପରେ ପରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ଝାରସୁଗୁଡା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ଅଛି । ପଡେ଼ାଶୀ ରାଜ୍ୟ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ପରିପ୍ରେ୍ଷୀରେ ଏହି ଜିଲ୍ଲା ମାନଙ୍କରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକୀୟ ସଂଖ୍ୟକ ବେଡ୍, ଆଇ.ସି.ୟୁ., ventilator ଆଦିର ବ୍ୟବସ୍ଥା କରାଯିବ । ଏହି ଗସ୍ତ ସମୟରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡ଼ା.ବିଜୟ କୁମାର ମହାପାତ୍ର, ଡି.ଏମ୍. ଇ. ଟି. ନିର୍ଦ୍ଦେଶକ ଡା. ସି.ବି.କେ. ମହାନ୍ତି, ସମ୍ବଲପୁର ଜିଲ୍ଲାପଳ ଶୁଭମ୍ ସକସେନା , ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ , ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସମେତ ଏହି ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here