ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ . ଗାଁ ଗାଁ ବୁଲି ପଞ୍ଜିକରଣ ଉପରେ ସଚେତନ କରାଉଛି ପ୍ରଚାର ରଥ . ଗଜପତି ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଚାଷୀ ପଞ୍ଜିକରଣ ପ୍ରଚାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା , ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠୀ , ଏଆରସିଏସ: ଶ୍ରୀ ଟିଭି: ପ୍ରସାଦ ରାଓ ଏବଂ ଆରଏମସି: ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ପରେ ଏହି ପ୍ରଚାର ରଥ ବିଭିନ୍ନ ଗ୍ରାମକୁ ଯାଇ , ଚାଷୀଙ୍କ ଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ସେମାନଙ୍କ ନାମ କିଭଳି ଓ କେଉଁଠାରେ ପଞ୍ଜିକରଣ କରାଇବେ , ସେ ସମ୍ପର୍କରେ ପ୍ରଚାର ରଥ ଗାଁ ଗାଁ ବୁଲି ଚାଷୀମାନଙ୍କୁ ବିଭିନ୍ନ ଉପାୟରେ ସଚେତନ ପାଇଁ ବାହାରଥିଲା । ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ , ଚାଷୀମାନଙ୍କ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଦିଗରେ ସଚେତନ ପାଇଁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । କୌଣସି ଚାଷୀ ଯେଭଳି ଏହି ପଞ୍ଜିକରଣ ପ୍ରକ୍ରିୟାରୁ ବଞ୍ଚିତ ନ ହେବେ , ସେଥିପାଇଁ ଏହି ଚାଷୀ ପଞ୍ଜିକରଣ ପ୍ରଚାର ରଥ ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଗାଁ ଗାଁ ବୁଲି ଚାଷୀ ମାନଙ୍କ ସେମାନଙ୍କ ନାମ ପଞ୍ଜିକରଣ କରାଇବା ଉପରେ ସଚେତନ କରାଇବ ବୋଲି କହିଥିଲେ ।
ଚାଷୀ ପଞ୍ଜିକରଣ ପ୍ରଚାର ରଥ ବିଭିନ୍ନ ଗାଁ ଗାଁ ବୁଲି ଚଳିତ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ନିମନ୍ତେ ଚାଷୀମାନେ ସେମାନଙ୍କ ସମସ୍ତ ତଥ୍ୟ ଦେଇ ନାମ ପଞ୍ଜିକରଣ କରାଇବା ଉପରେ ମାଇକ ଯୋଗେ ପ୍ରଚାର କରି ସଚେତନ କରାଉଛି । ଏତଦବ୍ୟତୀତ ପ୍ରଚାର ରଥରେ ଚାଷୀମାନଙ୍କ ସଚେତନ ପାଇଁ ବିଭିନ୍ନ ପୋଷ୍ଟର ଲାଗିବା ସହ ଅଧିକ ସଚେତନ ପାଇଁ ପ୍ରଚାର ପତ୍ର ବଣ୍ଟନ କରୁଛି । ଚାଷୀମାନେ ନିଜ ଅଞ୍ଚଳର ସମବାୟ ସମିତିକୁ ଯାଇ ସେଠାରେ ନିର୍ଦ୍ଧାରିତ ଫର୍ମ ପୁରାଣ କରି ନିଜ ନାମ ପଞ୍ଜିକରଣ କରାଉଛନ୍ତି । ପ୍ରଚାର ରଥ ଗାଡ଼ିରେ ସଚେତନତା ପାଇଁ ମୁଖ୍ୟତଃ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା , କଣ କଣ କାଗଜପତ୍ର ଆବଶ୍ୟକ , ପଞ୍ଜିକରଣ ଅବଧି , ଭାଗଚାଷୀ , କ୍ଷୁଦ୍ର ଓ ନାମମାତ୍ର ଚାଷୀ , ସମିତିର ଦାୟିତ୍ୱ , ହେଲ୍ପ ଡେସ୍କ ଓ ହେଲ୍ପ ଲାଇନ ଉପରେ ସଚେତନ ପାଇଁ ଦର୍ଶାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ , ଆସନ୍ତା ନଭେମ୍ବର ମାସ ପହିଲାରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏଇ ପାଞ୍ଚ ମାସ ମଧ୍ୟରେ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପରିଚାଳିତ ହେବ । ଏହି ସମୟ ମଧ୍ୟରେ ଜିଲ୍ଲାରେ ଫସଲ ଅମଳକୁ ଦୃଷ୍ଟିରେ ରଖି ଖରିଫ ଧାନ କ୍ରୟ କରାଯିବା ସମ୍ପାଦନା ହେବ । ତେଣୁ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତିରେ ଆଗୁଆ ଭାବେ ନାମ ପଞ୍ଜିକରଣ କରିବା ଆବଶ୍ୟକ ଉପରେ ସଚେତନ କରାଯାଉଛି ।