ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରାୟ ଏକ ମାସ ହେବ ବାଲୁଗାଁ ଓ ଟାଙ୍ଗି ବନାଞ୍ଚଳ ଅନ୍ତର୍ଗତ ବାଣପୁର ବ୍ଳକର ବରବରା ଓ ଶୂଳିଆ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଘୁରି ବୁଲୁଥିବା ବେଳେ ଗତ ୨୧ତାରିଖ ଶନିବାରେ ବାଘଟି ସଲପଡିହ ଗ୍ରାମର ଏକ ଷଣ୍ଢକୁ ମାରି ଖାଇଦେଇଥିଲା । ବାଘକୁ କେହି ଦେଖି ନଥିଲେ ମଧ୍ୟ ପାଦ ଚିହ୍ନରୁ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିଲା । ତେବ ପୁଣି ଶନିବାରେ ଉକ୍ତ ବାଘଟି ଶୂଳିଆ ଜଙ୍ଗଲରୁ ଆସି ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର ପାଦ ଚିହ୍ନରୁ ଜଣାପଡିଛି । ବାଲୁଗାଁ ବନାଞ୍ଚଳ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟରେ ଥିବା ପ୍ରଦୀପ ସାମନ୍ତସିଂହାରଙ୍କ ଫାର୍ମ ହାଉସର ପୋଖରୀ ରାସ୍ତାରେ ବାଘର ପାଦଚିହ୍ନ ପଡିଥିବାର ଖବର ପାଇ ବନବିଭାଗ ଅଧିକାରୀମାନେ ଅନୁସନ୍ଧାନ କରିବା ସହ ସ୍ପଷ୍ଟ କରିଛନ୍ତି । ତେବେ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଖବର ପ୍ରଘଟ ହେବାରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ଜଙ୍ଗଲ ନିକଟସ୍ଥ ଚାଷ ଜମିକୁ ଯିବାକୁ ଚାଷୀମାନେ ଭୟ କରୁଛନ୍ତି । ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ଟ୍ରାକ ଏବଂ ଡ୍ରୋନ୍ କ୍ୟାମେରା ଦ୍ୱାରା ବାଘର ଗତିବିଧିକୁ ଅନୁଧ୍ୟାନ କରାଯିବା ସହ ବିଭାଗୀୟ ଅଧିକାରୀମାନେ ଜଙ୍ଗଳ ମଧ୍ୟରେ ଫୁଟ ପ୍ୟାଟ୍ରୋଲିଙ୍ଗ ଚଳାଇଥିଲେ ମଧ୍ୟ ବାଘକୁ ଠାବ କରି ପାରି ନାହାନ୍ତି । ଶୂଳିଆ ଜଙ୍ଗଲର ଡ୍ରୋନ୍ ଓ ଟ୍ରାକ କ୍ୟାମେରା ହେଉ କି ବରବରା ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରାରେ ଏପର୍ଯ୍ୟନ୍ତ ବାଘର ଛବି ଆସିନାହିଁଁ । ଏ’ ମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ବାଘର ଗତିବିଧି କିମ୍ବା ବାଘକୁ ଠାବ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି । ବାଘକୁ ଶୀଘ୍ର ଧରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ବାଘ ଜଙ୍ଗଲରେ ବୁଲୁଛି, ଲୋକ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁଁ । ପାଦ ଚିହ୍ନ ଦେଖିବାପରେ ବାଲୁଗାଁ ବନାଞ୍ଚଳର ଧୂଆଁନଳୀ ସେକ୍ସନ, ପଦ୍ମପୁର ସେକ୍ସନ ଓ ବାଲୁଗାଁ ଅଞ୍ଚଳରେ ୩ଟି ଦଳ ଫୁଟ ପ୍ୟାଟ୍ରୋଲିଙ୍ଗ କରୁଛନ୍ତି । ବାଘ ରଣପୁର ରାଇପଡା କିମ୍ବା ପଦ୍ମପୁର ଜଙ୍ଗଲକୁ ଯାଇପାରେ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।।