ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉଚ୍ଚସ୍ତରୀୟ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାତ୍ୟା ଅର୍ଣ୍ଣବ ଓ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଆଭାସୀ ମାଧ୍ୟମରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।ଏହି ବୈଠକରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲାର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ସବିସ୍ତୃତ ସମୀକ୍ଷା କରିଥିଲେ। ସରକାରଙ୍କ ‘ଶୂନ୍ୟ ଜୀବନହାନୀ’ (Zero casualty) ଲକ୍ଷ୍ୟ ପୂରଣ ଉପରେ ମନ୍ତ୍ରୀ ଶ୍ରୀ ସୂରଜ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାର ୧୪୭ଟି ବାତ୍ୟା ପ୍ରବଣ ଅଞ୍ଚଳର (Cyclone Vulnerable Area) ୧୦,୨୦୦ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ‘ମା’ ଘର’କୁ (ଆଶ୍ରୟସ୍ଥଳୀ) ସ୍ଥାନାନ୍ତର କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ପ୍ରାୟ ୨୦୦ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି। ସମସ୍ତ ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ମହଜୁଦ ରହିବା ସହ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବସ୍ଥା, ପାନୀୟ ଜଳ, ଆଶୁ ଚିକିତ୍ସା ପାଇଁ ମେଡିକାଲ କିଟ୍ ଉପଲବ୍ଧ ହେବା ସହ ଆଶ୍ରୟ ସ୍ଥଳୀରେ ବିଦ୍ୟୁତ ସଂଯୋଗୀକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନୱାଡିକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ୩ ଦିନ (୨୭, ୨୮ ଓ ୨୯ ଅକ୍ଟୋବର) ବନ୍ଦ ରଖାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଅଧିକାରୀମାନଙ୍କୁ ଏସ୍‌ଓପି ପ୍ରଦାନ କରାଯିବା ସହ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବାତ୍ୟା ପ୍ରବଣ ଅଞ୍ଚଳମାନଙ୍କରେ (Cyclone Vulnerable Area) ନିୟୋଜିତ କରାଯାଇଛି।ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି କରାଯାଇଛି । ଲୋକମାନଙ୍କର ସ୍ଥାନନ୍ତର ଠାରୁ ଆରମ୍ଭ କରି ଆଶ୍ରୟସ୍ଥଳୀରେ ସୁରକ୍ଷିତ ରହଣି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ଶିଶୁ ଓ ଗର୍ଭବତୀ ମହିଳାମାନଙ୍କର ସୁରକ୍ଷା ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି। ଜିରୋ କାଜୁଆଲ୍‌ଟି ଆମର ଲକ୍ଷ୍ୟ ରହିଛି। ବାତ୍ୟାର ମୁକାବିଲା ସହ ଲୋକଙ୍କ ସୁରକ୍ଷା ହିଁ ଆମର ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏଥିସହ ମନ୍ତ୍ରୀ ଶ୍ରୀ ସୂରଜ ଗଜପତି ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ଆଶ୍ରୟ ସ୍ଥଳୀରେ ଯେପରି ଲୋକମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯାଇ ପାରିବ ତାହାକୁ ପ୍ରତ୍ୟକ୍ଷ ଭାବେ ତତ୍ତ୍ଵାବଧାନ କରିଛନ୍ତି।

Leave a Reply

Your email address will not be published. Required fields are marked *