ବାଙ୍କୀ ଅବକାରୀ ବିଭାଗ ପାଲଟିଛି ଅଦରକାରୀ ବିଭାଗ
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଓ ବନ୍ୟା , ଏ ଶବ୍ଦ ଦୁଇଟି ପରସ୍ପର ସହିତ ଯେମିତି ଭଲ ଭାବରେ ଜଡିତ . ତେବେ ଆମେ ଏବେ ଯେଉଁ ବନ୍ୟା କଥା କହୁଛୁ ତାହା ମହାନଦୀର ବନ୍ୟା ନୁହେଁ ବରଂ ବାଙ୍କୀ ଯାତମୁଣ୍ଡିଆ ଅଞ୍ଚଳରେ ଦେଶୀ ମଦର ବନ୍ୟା . ମାସିକିଆ ବଟି ନେଇ ନିଦାବିଷ୍ଣୁ ସାଜିଛି ବାଙ୍କୀ ଅବକାରୀ ବିଭାଗ . ଦେଶୀ ମଦ ବେପାରୀ ଚଳାଇଛନ୍ତି ବେଧଡକ ଚୋରା ମଦ କାରବାର . ବାଙ୍କୀ ଥାନା ଅଞ୍ଚଳରେ କେବେକେବେ ପୁଲିସ ହାତରେ ମଦ ଚାଲାଣକାରୀ ଧରା ପଡୁଥିଲେବି ଅବକାରୀ ବିଭାଗ କେମିତି ମଦ ଚାଲାଣ ର ଖୋଜ ଖବର ପାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି .
ଯାତମୁଣ୍ଡିଆ ମହାନଦୀ ସେତୁ ଖୋଲିବା ପରେ ଚୋରା ଚାଲାଣକାରୀ ଏବଂ ଚୋରଙ୍କ ପ୍ରାଦୁର୍ଭାବ ବଢିଛି . ସୁବର୍ଣ୍ଣପୁରରେ ଥିବା ବିଟ ହାଉସ , ଆଇନ ଶୃଙ୍ଖଳା ରକ୍ଷା ତଥା ଚୋରା ଚାଲାଣ ରୋକିବା ଦିଗରେ ସଂପୂର୍ଣ୍ଣ ବିଫଳ . ବିଭିନ୍ନ ସମୟରେ ଚୋରା ମଦ ଚାଲାଣ ସମ୍ପର୍କରେ ଖବର ପ୍ରକାଶନ ପରେ , ମାର ମାର ଭଣ୍ଡାରୀଆ କୁ ମାର ନୀତିରେ ଗାଁ ଗହଳିର ଛୋଟ ମୋଟ ମଦ ବେପାରୀଙ୍କୁ ଧରି ଆଣି କୋର୍ଟ ଚାଲାଣ କରୁଛି ଅବକାରୀ ବିଭାଗ . ହେଲେ ବଡ ମାଛ ଜମା ଜାଲରେ ପଡୁ ନାହାନ୍ତି . ମଦ କାଉଣ୍ଟର ଠାରୁ ଆରମ୍ଭ କରି ବିକ୍ରି ସ୍ଥାନ ପର୍ଯ୍ୟନ୍ତ ସବୁଠି ନିଶା ବେପାରୀଙ୍କ ନେଟୱାର୍କ . ଏମିତି ସେଟିଙ୍ଗ ହେଇଛି ଯେ , ଅବକାରୀ ଅଫିସ ରୁ ଗାଡି ଗଡ଼ିଲେ ଖବର ଯାଇ ପହଞ୍ଚି ଯାଉଛି . ଅନ୍ୟ ପକ୍ଷରେ ତାଳମେଳ ଅଭାବରୁ ଯଦି କେବେ କିଏ ଧରା ପଡିଗଲା ତେବେ , ସ୍ଥାନୀୟ କୁଜିନେତାଙ୍କ ମଧ୍ୟସ୍ଥତାରେ ମାମଲା ରଫାଦଫା ହେଇଯାଉଛି . ପଚାରିଲେ ଅବକାରୀ ବାବୁ କହୁଛନ୍ତି , ଭଡା ଘରେ ତ ଅଫିସ ଚାଲିଛି , ମାଲଖାନା କରିବାକୁ ଜାଗା କାଇଁ . ସବୁ ସିଜ ମାଲ କଟକ ପଠେଇ ଦେଲୁ . ହେଲେ ଅସଲ କଥା ହେଲା ନିଶା ବେପାରୀଙ୍କୁ ଧରିଲେ କଣ ଦରମା ବଢ଼ିଯିବ କି , ନା ନଧରିଲେ ଦରମା ବନ୍ଦ ହେଇଯାଉଛି . କିନ୍ତୁ ନଧରିବା ପାଇଁ ତ ମାସିକିଆ ବଟି ଫାଇନାଲ ହେଇଛି . ଅବକାରୀ ବିଭାଗର ଏପରି କାର୍ଯ୍ୟ ଦେଖି ଲୋକେ କହୁଛନ୍ତି , ଅଫିସ ଆଗରେ ଲାଗିଥିବା ସାଇନ ବୋର୍ଡ ରେ ବାଙ୍କୀ ଅବକାରୀ ବଦଳରେ ଅଦରକାରୀ ବିଭାଗ ଲେଖାଯାଉ .