ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ କୁମାରାଙ୍ଗ ଶାସନରେ ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ୧୯୧୨ ମସିହାରେ ସ୍ଥାପିତ କୁମାର ପାଠାଗାରର ୧୧୦ ତମ ଜନ୍ମୋତ୍ସଵ ପାଳିତ ହୋଇଛି । ଏହି ଅବସରରେ ଲୋକପ୍ରିୟ ବ୍ୟଙ୍ଗ ସାହିତ୍ୟିକ ସତ୍ୟାନ୍ୟାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନ୍ୟ ଅତିଥି ଗଣଙ୍କ ସହିତ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ର ୨୦୨୧ ସଂସ୍କରଣ ଉନ୍ମୋଚନ କରିଥିଲେ । ଗ୍ରାମର ଯୁବକ ଯୁବତୀ ମାନେ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ ରଚନା ଉଠ କଙ୍କାଳ .. ଛିଡୁ ଶୃଙ୍ଖଳ .. ଗାୟନ କରିବା ସହ ବୈଠକର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଗ୍ରାମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନାଯୋଗ୍ୟ ଯେ,୧୯୧୨ ମସିହାରେ କୁମାରାଙ୍ଗ ଶାସନ ଗ୍ରାମର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ୱର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଏବଂ ସ୍ୱର୍ଗତ ଜଗନ୍ନାଥ ମହାପାତ୍ର ଗାଁ ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠାଗାର ର ସ୍ଥାପନା କରିଥିଲେ ।