ଲାଇଟ ମାଳ ମାଳ : କିନ୍ତୁ ରାସ୍ତା ଘାଟ ଅନ୍ଧକାରମୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସହର ଏବଂ ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱ ଆଲୋକୀକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଦ୍ୟୁତ ଖୁଣ୍ଟି ଗୁଡିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ବର୍ଷ ବର୍ଷ ଧରି ଅନ୍ଧକାରମୟ ରହୁଛି । ଏପରି ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳର ପଲଟନ୍ ପଡିଆ ଯିବା ମୁଖ୍ୟ ରାସ୍ତାରେ । ବାଣପୁର ଗାଲୁଆ ଛକ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋମିଟର ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଅନ୍ଧକାରମୟ ହୋଇ ରହୁଛି । ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଉକ୍ତ ରାସ୍ତାରେ ଦେଇ ଦୈନିକ ହଜାର ହଜାର ସ୍ଥାନୀୟ ଜନସାଧାରଣ ପଲଟନ୍ ପଡିଆ ମାର୍କେଟ କରିବାକୁ ଓ ପର୍ଯ୍ୟଟକ ଯିବା ଆସିବା କରିବା ସହିତ ଶହ ଶହ ଗାଡି ମୋଟର ଚଳ ପ୍ରଚଳ ହୋଇଥାଏ । ଶୀତଦିନ ଆସିଲେ ଏହାର ମାତ୍ରା ଆହୁରି ବଢିଯାଏ, କାରଣ ଭଗବତୀ ପୀଠ ଓ ଶାଳିଆ ଡ୍ୟାମକୁ ଓଡ଼ିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୁଏ । କିନ୍ତୁ ବିଡ଼ମ୍ବନାର ବିଷୟ ଗାଲୁଆ ଛକ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋମିଟର ଧରି ଉକ୍ତ ରାସ୍ତାରେ ଗୋଟାଏ ହେଲେ ବିଦ୍ୟୁତ ଖୁଣ୍ଟରେ ଲାଇଟ ଜଳୁନାହିଁ । ଯାହାଦ୍ୱାରା ଉକ୍ତ ରାସ୍ତାଟି ଏକ ଉପାନ୍ତ ଅଞ୍ଚଳ ଭ୍ରମ ସୃଷ୍ଟି କରୁଛି ।

ଏହି ରାସ୍ତାରେ ୩୦ ଗୋଟି ପ୍ରାୟ ବିଦ୍ୟୁତ ଖୁଣ୍ଟ ଥିବାବେଳେ ସବୁତିକ ଖୁଣ୍ଟରେ ପୁରୁଣା ଲାଇଟ ଗୁଡାକ କିଛିଦିନ ହେଲା ଅଚଳ ହୋଇ ପଡିଛି ତ ଆଉ କେତେକ ଖୁଣ୍ଟରେ ଷ୍ଟାଣ୍ଡ ଅଛି ସିନା କିନ୍ତୁ ଲାଇଟ ନାହିଁ ଆଉ କୋଉ ଖୁଣ୍ଟରେ ତାର ଛିଡି ଝୁଲିକରି ରହିଛି ସନ୍ଧ୍ୟା ହେଲେ ଏହି ରାସ୍ତାରେ ଅନ୍ଧକାରର ରାଜୁତି ଆରମ୍ଭ ହୁଏ, କଲବଲ ହୁଅନ୍ତି ଯା ‘ ଆସ କରୁଥିବା ଜନସାଧାରଣ । ଏପରିକି ଅନ୍ଧକାରର ସୁଯୋଗ ନେଇ ରାସ୍ତାରେ ମାତୁଛନ୍ତି ଅସାମାଜିକ ଯୁବକ ଓ ମଦ୍ୟପ । ଯାହାଫଳରେ ଏହି ରାସ୍ତାରେ ବାରମ୍ବାର ଚୋରି, ଡକାୟତି, ରାହାଜାନି ହେଉଥିବା ଅଭିଯୋଗ ହେଉଛି । ତେବେ ଆଶ୍ଚର୍ଯ୍ୟର କଥା ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ କିଛିଦିନ ହେଲା ଖଣ୍ଡେ ଲାଇଟ ଲାଗୁ ନଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ଅଜଣା ପରି ହେଉଛି । ପ୍ରତିଦିନ ଉକ୍ତ ରାସ୍ତାଦେଇ ଖୋଦ ପ୍ରଶାସନିକ ଅଧିକାରୀ ମାନେ ବ୍ଲକ ଏବଂ ବାଣପୁର ଅଦାଲତ କାର୍ଯ୍ୟାଳୟକୁ ଯିବା ଆସିବା କରୁଥିବା ବେଳେ କାହା ନଜରକୁ ଏପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାନଯିବା ସହଜରେ ହଜମ ହେଉନାହିଁ । ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଯାଇଥିବାବେଳେ ଏଥିରେ ଲାଗିଥିବା ବିଦ୍ୟୁତ ଖୁଣ୍ଟ ଓ ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ ଏନ୍,ଏ,ସି ର ଅଟେ। ଏ ତେବେ ଦେଖାଯାଉ କେବେ ବାଣପୁର ଏନ୍,ଏ,ସି ପ୍ରଶାସନର ନିଦ ଭାଙ୍ଗୁଛି ଏବଂ କେବେ ଗାଲୁଆ ଛକ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ରାସ୍ତାର ୩୦ ଗୋଟି ବିଦ୍ୟୁତ ଖୁଣ୍ଟରେ ପୁନଃ ଲାଇଟ ଜଳୁଛି। ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।।।

Leave a Reply

Your email address will not be published. Required fields are marked *