ଡମପଡ଼ା ବ୍ଲକ ହରିରାଜପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଅର୍ଥ ତୋଷରପାତର ତଦନ୍ତ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ବାଙ୍କୀ // ଡମପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସୂଚନା ଅଧିକାର ଆଇନ୍ ଅନୁସାରେ ମିଳିଥିବା ତଥ୍ୟ ଅନୁଯାୟୀ ହରିରାଜପୁର ଗ୍ରାମ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ଏବଂ ଅର୍ଥ ତୋଷରପାତ ସଂପର୍କରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ଯୋଜନାକୁ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମଳିତ ଭାବେ ହଡପ କରି ଲକ୍ଷ ଲକ୍ଷ ଟଙ୍କା ତୋଷାରପାତ କରିଛନ୍ତି । ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗ୍ରାମ ପଞ୍ଚାୟତର ତଳ ସାହି ବାଉଣ୍ଡରି ୱାଲ୍ ନାମରେ ୧ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ସେଠାରେ କୌଣସି କାର୍ଯ୍ୟ ହୋଇନାହିଁ । ହରିରାଜପୁର ଶବର ସାହି ପୋଖରୀ ରୋଡ୍ ନାମରେ କାର୍ଯ୍ୟ କରା ନଯାଇ ୧ଲକ୍ଷ ଟଙ୍କା ବିଲ୍ କରାଯାଇଥିବା, ଧୋବା ସାହି ଗାଧୁଆ ତୁଠ ଓ ଚେଂଜିଙ୍ଗ ରୁମ୍ ନାମରେ ୨ଲକ୍ଷ ଟଙ୍କା ହଡପ, ତଳ ହରିଜନ ସାହି ଖୋଲା କୂଅ ମରାମତି ବାବଦରେ କାର୍ଯ୍ୟ କରା ନଯାଇ ୩୦ହଜାର ଟଙ୍କା ଉଠାଣ, ପି.ଡବ୍ଲ୍ୟୁ.ଡି ରୋଡ ଠାରୁ ପଣାଦିଆ ଛକ ପର୍ଯ୍ୟନ୍ତ ନୂଆ ରାସ୍ତା ନିର୍ମାଣ କରାନଯାଇ ୧ଲକ୍ଷ ଟଙ୍କା ହଡପ, ହରିରାଜପୁର ଉପର ସାହି ଗାର୍ଡ ୱାଲ୍ ଓ ଡ୍ରେନ୍ ବାବଦରେ କାମ ନ ହୋଇ ୨ଲକ୍ଷ ଟଙ୍କା ହଡପ, ଏକେଇଚୂଆ ଗାଧୁଆ ତୁଠ ଓ ଚେଜିଙ୍ଗ୍ ରୁମ୍ ନାମରେ ୨ଲକ୍ଷ ଟଙ୍କା ହଡପ, ହରିରାଜପୁର ଶ୍ମଶାନର ଉନ୍ନତିକରଣ ବାବଦରେ ୫ଲକ୍ଷ ଟଙ୍କା ତୋଷରପାତ, ୨୦୧୮- ୧୯ଆର୍ଥିକ ବର୍ଷରେ ପୁରୁଣା ବୋରୱେଲ୍‌କୁ ନୂଆ ବୋରିଂ ଦର୍ଶାଇ ୩ଲକ୍ଷ ଟଙ୍କା ହଡପ, ଦୋକରୀ କନ୍ଧି ଖୋଲାକୂଅ ମରାମତି କାର୍ଯ୍ୟ ନକରାଯାଇ ୫୦ହଜାର ଟଙ୍କା ଉଠାଣ, ବିଜୟ ସ୍ୱାଇଁ ଘରଠାରୁ ନିରଞ୍ଜନ ପଣ୍ଡାଙ୍କ ଘର ପର୍ଯ୍ୟନ୍ତ ରାସ୍ତା ମରାମତି ବାବଦରେ ୨୦୧୮-୧୯ଆର୍ଥିକ ବର୍ଷରେ ୧ଲକ୍ଷ ଟଙ୍କା ହଡପ, ରତ୍ନେଶ୍ୱରୀ କ୍ଲବ ପାଖ ନୂଆ ନଳକୂପ ବାବଦରେ ଚତୁର୍ଦ୍ଦଶ ଅର୍ଥକମିଶନରୁ ୧ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶା ଯାଇଥିବା ବେଳେ କୌଣସି କାର୍ଯ୍ୟ ହୋଇନାହିଁ । ସେହିପରି କମ୍ୟୁନିଟ୍ ସେଣ୍ଟର ନିର୍ମାଣ ବାବଦରେ ୧ଲକ୍ଷ ୫୫ହଜାର ଟଙ୍କା ହଡପ କରାଯାଇଛି । ଷ୍ଟ୍ରିଟ୍ ଲାଇଟ୍ ମରାମତି ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ନଥିବା ବେଳେ କିପରି ୫୦ହଜାର ଟଙ୍କା ଖର୍ଚ୍ଚ କରାଗଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଲିଡ୍ ୱେଷ୍ଟ୍ ମ୍ୟାନେଜମେଣ୍ଟ୍ ବାବଦରେ ୫ଲକ୍ଷ , ଜୋରକୂଳ ଗୁଡିଆ ସାହି ମିନିମାସ୍କ ଲାଇଟ୍ ବାବଦରେ ୧ଲକ୍ଷ, ଜୋରକୂଳ ସୋଲାର ଲାଇଟ୍ ବାବଦରେ ୨ଲକ୍ଷ ହଡପ କରାଯାଇଥିବା ଅଭିଯୋଗ କରାଯାଇଛି । ଆର୍‌.ସି ପଣ୍ଡା ଏମ୍‌.ଇ ସ୍କୁଲରେ ନୂଆ ବୋରିଂ କୂଅ ବାବଦରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କାର୍ଯ୍ୟ ହୋଇନାହିଁ । ଏନ୍‌.ଆର.ଜି.ଏସ୍ ୨୦୧୭-୧୮ ଠାରୁ ପୋଖରୀ, ରାସ୍ତା, ପ୍ରକଳ୍ପ ବାବଦରେ ଆର.ଟି.ଆଇ ନିୟମ ଅନୁସାରେ ତଥ୍ୟ ମଗା ଯାଇଥିଲେ ମଧ୍ୟ ସଠିକ୍ ତଥ୍ୟ ମିଳିପାରି ନାହିଁ । ଯେଉଁ ତଥ୍ୟ ଦିଆଯାଇଛି ସେଥିରେ କିଛି ସରକାରୀ ଅବସରପ୍ରାପ୍ତ କର୍ମଚାରୀ, କଣ୍ଟ୍ରୋଲ୍ ଡିଲର, ସରପଞ୍ଚଙ୍କ ଶାଶୁ, ବଡଶାଶୁ , ନାୟବ ସରପଞ୍ଚ, ତାଙ୍କସ୍ତ୍ରୀ, ଅସହାୟ ମହିଳା,ବୃଦ୍ଧା ଯାହାର ବୟଷ ୬୦ବର୍ଷରୁ ଉର୍ଦ୍ଧ ସେମାନଙ୍କ ବ୍ୟାଙ୍କ ଖାତାକୁ ଜବ୍ କାର୍ଡ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଛଡା ଯାଇଛି । ଯେଉଁମାନେ ପ୍ରକୃତରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇ ନାହିଁ । ୨୦୧୮ରୁ ୨୦୨୦ମସିହା ପର୍ଯ୍ୟନ୍ତ ଆର.ଟି.ଆଇ. ଆକ୍ଟରେ ତଥ୍ୟ ମଗାଯାଇଥିଲେ ମଧ୍ୟ କୌଣସି କାଗଜପତ୍ର ନଥିବା ପି.ଇ.ଓ ମନା କରିଦେଇଛନ୍ତି । ଅର୍ଥ ଆତ୍ମସାତ ହୋଇଥିବା ପ୍ରକଳ୍ପ ଗୁଡିକ ସହିତ ବେନିୟମ କାଗଜପତ୍ର ସଂପର୍କରେ ତଦନ୍ତ କରାଯାଇ ଏଥିରେ ଲିପ୍ତଥିବା କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା ନିମନ୍ତେ ହରିରାଜପୁର ଗ୍ରାମ ପଞ୍ଚାୟତର ସୀତାରାମ ମହାପାତ୍ର, ସୁରେଶ ଚନ୍ଦ୍ର ବେଉରା ଓ ଶିବପ୍ରସାଦ ସାହୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାର ନକଲ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ପଞ୍ଚାୟତ ରାଜ ସଚିବ, ଲୋକପାଳ ଓଡ଼ିଶା ଓ କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏ ସଂପର୍କରେ ହରିରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବସ୍ମୀତା ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ ସମସ୍ତ ଅଭିଯୋଗ ଗୁଡିକର କୌଣସି ସତ୍ୟତା ନାହିଁ । ହେଲେ ଲୋକେ କହୁଛନ୍ତି , ତଦନ୍ତ ଆରମ୍ଭ ହେଲେ ଜଣା ପଡିବ କେତେ ପାଣିରେ କିଏ ଅଛି .

Leave a Reply

Your email address will not be published. Required fields are marked *