ଜାତୀୟ ରାଜପଥ ବେଲପଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ପନ୍ଦର ଆହତ ତିନି ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ୧୮ ଜଣ ପୁରୁଷ ଯାତ୍ରୀ ଓଆର ୦୨ଏକ୍ସ -୬୫୯୯ ନମ୍ବର ବିଶିଷ୍ଟ ଏକ ମହେନ୍ଦ୍ରା ମିନିବସ ଯୋଗେ ଗୁରୁବାର ଦିନ ସଂନ୍ଧ୍ୟାରେ ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ । ତେବେ ଦର୍ଶନ ସାରି ଗତକାଲି ଫେରୁଥିବା ବେଳେ ରାତି ଦୁଇ ଘଟିକା ସମୟରେ ଯାତ୍ରୀମାନେ ପରିସ୍ରା କରିବା ନିମନ୍ତେ ବସଟି ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଅଟକିଥିଲା । ସେହି ସମୟରେ ହଠାତ ପଛପଟୁ କ୍ଷିପ୍ର ଗତିରେ ଏକ ଅଜଣା ଟ୍ରକ ବସକୁ ଶକ୍ତ ଧକା ଦେଇ ଫେରାର ହୋଇଯାଇଥିଲା । ଯାହା ଫଳରେ ବସଟି ରାଜପଥ କଡ଼ରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ତିନି ଜଣ ବ୍ୟକ୍ତି ବସ ତଳେ ଚାପି ହୋଇ ରହିଥିଲେ ।

ସୂଚନା ପାଇ ସଙ୍ଗେସଙ୍ଗେ ବାଣପୁର ଏବଂ ବାଲୁଗାଁ ଅଗ୍ନିଶମ ବାହିନୀ, ବାଣପୁର ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଦୁର୍ଘଟଣା ଗ୍ରସ୍ତ ବସ ତଳୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆହତ ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ବସ ତଳେ ଚାପି ହୋଇଥିବା ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାଲୁଗାଁ ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ବ୍ୟକ୍ତି ହେଲେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲି ପଞ୍ଚାୟତ ଭେଙ୍କଟରାୟପୁର ଗ୍ରାମର ଇ. ଲୋହି ଦାସ (୫୭), ଗଙ୍ଗାଧର ମହାରଣା (୩୯) ଏବଂ ନାରାୟଣପୁର ପଞ୍ଚାୟତ ଆଲିପୁର ଗ୍ରାମର ଅସିତ କୁମାର ବେହେରା (୨୯) ବୋଲି ଜଣାପଡିଛି । ମୃତକଙ୍କ ସମ୍ପର୍କୀୟ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *