ମିଳିମିଶି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା : ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ପୁରାତନ ତଥା ଗୌରବମୟ ଶିକ୍ଷାନୁଷ୍ଠାନ ଭାବେ ଗୋଦାବରୀଶ ମହାବିଦ୍ୟାଳୟ ସାରା ରାଜ୍ୟରେ ପରିଚିତ । ଦିନକୁଦିନ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗମାନ ବୃଦ୍ଧି ପାଉଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅବଦାନ ଏବଂ ସ୍ମୃତି ଉଦ୍ଦେଶ୍ୟରେ ଗଢିଉଠିଥିବା ମହାବିଦ୍ୟାଳୟର ଉନ୍ନତମାନର ଶିକ୍ଷା କୌଶଳ, ଗୁରୁ-ଶିଷ୍ୟର ପରିଭାଷାକୁ ସମ୍ମାନ ତଥା ଶୈକ୍ଷିକ ପରିବେଶକୁ ନେଇ ଅଞ୍ଚଳବାସୀ ଅତ୍ୟନ୍ତ ଗର୍ବିତ । ମାତ୍ର ପରିତାପର ବିଷୟ ଆବଶ୍ୟକ ଅନୁଯାୟୀ ମହାବିଦ୍ୟାଳୟରେ ଅଦ୍ୟାବଧି ସେପରି ଉର୍ଣ୍ଣତି ହୋଇପାରି ନାହିଁ । ଯାହାକି ଏଦିଗରେ ସରକାରଙ୍କ ଉଦାସୀନତା ହେଉ ଅଥବା ନିଯୁକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ । କିନ୍ତୁ ଜାତୀୟ ସ୍ତରରେ ଗୋଦାବରୀଶ ମହାବିଦ୍ୟାଳୟକୁ ପ୍ରେରିତ କରୁଥିବା ଅଞ୍ଚଳବାସୀଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଉଛି । ଭିତ୍ତିଭୂମିକୁ ସୁଦୃଢ କରିବା ପରିବର୍ତ୍ତେ ଆସୁଥିବା ଅନୁଦାନ ଅର୍ଥକୁ ଦୁରୂପଯୋଗ କରାଯାଉଥିବାବେଳେ ଅର୍ଥକୁ ତୋଷାରପାତ କରିବାନେଇ ସାଧାରଣରେ ସଙ୍ଗୀନ ଅଭିଯୋଗ ହେଉଛି ।

ଅଭିଯୋଗ ମୁତାବକ ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ଗତବର୍ଷ ନଭେମ୍ବର ମାସରେ ଚିଠି ନଂ-୩୮୦୬/୨୦୨୦ ରେ ଫନି ସହାୟତା ବାବଦରେ କଲେଜକୁ ୨୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଉକ୍ତ ଅର୍ଥରେ ସ୍ମାର୍ଟ କନଫରେନ୍ସ ଗୃହ ନିର୍ମାଣ, କର୍ମଚାରୀଙ୍କ ଗୃହ ମରାମତି ଏବଂ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ବ୍ୟୟବରାଦ କରାଯାଇଥିଲା । ବ୍ୟୟ ଅଟକଳ ମଧ୍ୟରେ ସ୍ମାର୍ଟ କନଫରେନ୍ସ ଗୃହ ର୍ନିମାଣ ପାଇଁ ୨୦ଲକ୍ଷ୍ୟ ବ୍ୟୟବରାଦ ହୋଇଥିବାବେଳେ କର୍ମଚାରୀଙ୍କ ଗୃହ ମରାମତି ପାଇଁ ୩ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ନେଇ ଅଧ୍ୟକ୍ଷ ପ୍ରମୋଦ କୁମାର ପାଢୀ ସୂଚନା ଦେଇଛନ୍ତି । ପଶ୍ଚାତାପର ବିଷୟ ୨୦ଲକ୍ଷ୍ୟ ବ୍ୟୟରେ ସ୍ମାର୍ଟ କନଫରେନ୍ସ ଗୃହ ର୍ନିମାଣ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି ବ୍ୟୟ ଅଟକଳର କୌଣସି ଫଳକ ଦୃଷ୍ଟି ଗୋଚର ହେଉନାହିଁ । ସବୁଠାରୁ କୌତୁହଳର ବିଷୟ ଏତେ ଟଙ୍କା ବ୍ୟୟରେ ନବର୍ନିମିତ ଗୃହ ଅଦ୍ୟାବଧି ସର୍ବଦା ତାଲା ପଡି ରହୁଥିବା ବେଳେ କାହାରିପାଖରେ ଏହାର ଉତ୍ତର ନାହିଁ । ପ୍ରତିଫଳନ ସ୍ୱରୂପ ଏହାରି ଭିତରେ କଣ ରହସ୍ୟ ରହିଛି ନା କାର୍ଯ୍ୟ ନକରି ଅର୍ଥ ବାଟମାରଣା କରାଯିବାନେଇ ସମସ୍ତଙ୍କୁ ଆଚମ୍ବିତ କରୁଥିବା ବେଳେ ସାଧାରଣରେ ଏହାକୁ ‘ଗୁପ୍ତ କୋଠରୀ’ର ଆଖ୍ୟା ଦିଆଯାଉଛି । କର୍ମଚାରୀମାନେ ହୁଅନ୍ତୁ ଅବା ଛାତ୍ରଛାତ୍ରୀଙ୍କ କହିବାକଥା ଆମ କଲେଜରେ ଏହା କିଛି ନୂଆ କଥା ନୁହେଁ ଏପରିକି ଫନି ସହାୟତାରେ କର୍ମଚାରୀ ଗୃହ ମରାମତି ପାଇଁ ମଞ୍ଜୁର ହୋଇଥିବା ୩ ଲକ୍ଷ କେବଳ ଫଳକରେ ଲେଖାଯାଇଛି କିନ୍ତୁ ଗୋଟେ ଟଙ୍କାର ବି କାମ ହୋଇନାହିଁ । ଏଥି ସହିତ ଖେଳ ପଡିଆ ଉନ୍ନତିକରଣ ଏବଂ ପାଚେରି ର୍ନିମାଣ ନେଇ ଅନୁଦାନ ରାଶି ମିଳୁଥିବାବେଳେ ଠିକ ଭାବେ କାର୍ଯ୍ୟ ନ କରି ଅର୍ଥ ଚଳୁ କରିଦେଉଥିବା ଭଳି ସାଙ୍ଘାତିକ ଅଭିଯୋଗ ହେଉଛି ମାତ୍ର ଅଧ୍ୟକ୍ଷଙ୍କ ନାଲି ଆଖି ଆଗରେ ସମସ୍ତେ ନିରବଦ୍ରଷ୍ଟା ସାଜୁଛନ୍ତି । ନିକଟରେ କଲେଜ ପ୍ରାଚୀର ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ଆସିଥିବାର ପ୍ରାଚୀର କାନ୍ଥରେ ଲେଖାଯାଇଥିଲା l କିନ୍ତୁ ଉକ୍ତ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାରୁ ତାକୁ ରାତାରାତି ଲିଭାଯାଇ ପୁଣି ୧୦ ଲକ୍ଷ ଲେଖା ହେଲା l ତେବେ ଏଠାରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କଲେଜ ପ୍ରାଚୀର ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି l ବହୁ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ରହଣି ନେଇ ଅବସ୍ଥାପିତ ଛାତ୍ରାବାସ ହେଉ ଅବା ଛାତ୍ରୀନିବସ ଅବସ୍ଥା କହିଲେ ନ ସରେ । ବାରମ୍ବାର ଏଭଳି ଦୁର୍ନୀତି ଅଭିଯୋଗ ଆସୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରେ ପ୍ରତିଟି କ୍ଷେତ୍ରରେ ଅକ୍ଷମତା ପ୍ରକାଶ କରିବାସହ ଅତି ଚତୁରତାର ସହ କୁହନ୍ତି ଏସବୁ ଉନ୍ନୟନ କାର୍ଯ୍ୟ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀଙ୍କର ଦାୟିତ୍ୱ l ଉନ୍ନୟନ ପାଇଁ ଆସୁଥିବା ସରକାରୀ ପଇସାକୁ କଲେଜ ବିଡ଼ିଓଙ୍କୁ ପଠାଇଦିଏ l ଏନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାର ସେ କହିଛନ୍ତି କଲେଜ କାର୍ଯ୍ୟ ସମ୍ବନ୍ଧରେ ମୁଁ କଣ ଜାଣିଛି ସେ କାମ କଲେଜ କର୍ତ୍ତୃପକ୍ଷଙ୍କର ସେ ଯେପରି ନିର୍ଦେଶ ଦେଇଛନ୍ତି ତାଙ୍କ ଅନୁସାରେ କରାଯାଇଛି । ହେଲେ ଏଠାରେ ଉଭୟ ଉଭୟଙ୍କ ଉପରେ ଆକ୍ଷେପ କରୁଥିବାବେଳେ କଲେଜ ଉନ୍ନୟନ କାର୍ଯ୍ୟ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରିହୋଇପଡୁଛି । ଏ ସମ୍ବନ୍ଧରେ ବ୍ଲକ ଜେଇ ଭଂଜକିଶୋର ପାଣିଙ୍କୁ ଯୋଗାଯୋଗ କରିବାରେ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦେଶ ମୁତାବକ କାର୍ଯ୍ୟ କରାଯାଇଥାଏ । ଅନୁରୂପ ଭାବେ ଫନି ସହାୟତାରେ କର୍ମଚାରୀ ଗୃହ ମରାମତି ପାଇଁ ମଞ୍ଜୁର ହୋଇଥିବା ୩ ଲକ୍ଷ ଟଙ୍କାରେ କୌଣସି କର୍ମଚାରୀଙ୍କ ଗୃହ ମରାମତି ହୋଇନଥିବା ସେ କହିଛନ୍ତି l ସେହିପରି ଭାବେ ଏ ନେଇ କଲେଜ ପ୍ରଶାସକ ଡ଼ା ଏସପିଏନଏସ ବର୍ମାଙ୍କୁ ପଚାରବାରୁ ସେ ଏବାବଦରେ କିଛି ଜାଣିନଥିବା କହିଛନ୍ତି l କିନ୍ତୁ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ସଦାବେଳେ ବ୍ଲକ କାର୍ଯ୍ୟାଳୟ ଯାଇ କାମ କରାଉଥିବାର କହିଛନ୍ତି l ତେବେ ଏଠାରେ ପ୍ରଶ୍ନ ଉଠୁଛି କଲେଜରେ ଆସୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ କାହା ତଦାରଖରେ ହେଉଛି । ନିର୍ମଳ ଭାବମୂର୍ତି ଧାରୀ ଅଧ୍ୟକ୍ଷ କେତେ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଏପରି କାର୍ଯ୍ୟ କରିବାରେ କାହାର ହାତ ଅଛି ନାଁ ନିଜର ଅଧିକାର ସାବ୍ୟସ୍ତ କରି ଲୁଟ କରିଚାଲିଛନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଏଦିଗରେ ଭିଜିଲାସନ୍ସ ଦ୍ୱାରା ତଦନ୍ତ କରିବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


Leave a Reply

Your email address will not be published. Required fields are marked *