ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୋମଳମତି ଝିଅ ହିଷିତା , ବୟସ ୧୧। ଆଖିରେ ଆଖିଏ ସ୍ୱପ୍ନ । ବଡ଼ହେଲେ ଡାକ୍ତର ହେବି । ଗରିବଙ୍କ ସେବା କରିବି । କିନ୍ତୁ ଝିଅଟି ଉପରେ ଦାଉ ସାଧିଲା ଦଇବ । ଅଧାରୁ ପାଠ ପଢା ଛାଡିବାକୁ ପଡ଼ିଲା । କାରଣ ଝିଅଟିର ଉଭୟ କିଡ଼ନୀ ନଷ୍ଟ ହୋଇ ଯାଇଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ଅତି ଗରିବ ପରିବାରର ଝିଅ ହୋଇଥିବାରୁ ଚିକିତ୍ସା ପାଇଁ ଝିଅଟିର ପିତାଙ୍କ ପାଖେ ଲକ୍ଷେ କଣ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ । ପିତାଙ୍କ ପରିସ୍ଥିତି ଏପରି ଯେ, ଖାଇବା ପାଇଁ ପାଖରେ ପଇସା ନଥିବାରୁ ବାଧ୍ୟହୋଇ ଘର ଛାଡି ସୁଦୂର କୋଲକାତାରେ ଏକ ଘରୋଇ ହୋଟେଲରେ କ୍ଲିନର ଭାବେ କାମ କରନ୍ତି । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଞ୍ଚାୟତ ଅନ୍ତର୍ଗତ ବିଂଝଳା ଗ୍ରାମର ଛୋଟ ଝିଅ ହିଷିତା ନାୟକଙ୍କ କଥା ।

ହିଷିତା ନାୟକ , ବୟସ ମାତ୍ର ଏଗାର । ବାପା ମଦନ ନାୟକ କୋଲକାତାରେ କାମ କରନ୍ତି । ପରିବାର ବୋଲେ ଗୋଟେ ଛୋଟ ଭାଇ, ମା’ ଏବଂ ବାପା । ବିଂଝଳା ଗ୍ରାମରେ ରହୁଥୁବା ବେଳେ ୨୦୧୫ ରେ ହଠାତ ହିଷିତାଙ୍କ ଦେହ ଫୁଲିବାକୁ ଲାଗିଲା । ଚିକିତ୍ସା କରାଇବାରୁ ଜଣା ପଡ଼ିଲା ଯେ, ଝିଅର ଗୋଟେ କିଡ଼ନୀ ନଷ୍ଟ ହୋଇ ଯାଇଛି । ପଞ୍ଚମ ଶ୍ରେଣୀରୁ ପାଠ ଛାଡିବାକୁ ପଡ଼ିଲା ହିଷିତାଙ୍କୁ । ଘରେ ରହି ସେବେଠାରୁ ଔଷଧ ଖାଇ ଚିକିତ୍ସିତ ହୋଇ ଆସୁଛନ୍ତି । ତେବେ ଏକ ମାସ ତଳେ ହିଷିତାଙ୍କ ଦେହ ପୁଣି ଗୁରୁତର ହେବାରୁ କୋଲକାତାରେ ଟେଷ୍ଟ କରିବାରୁ ଜଣାପଡ଼ିଲା ତାଙ୍କର ଦ୍ଵିତୀୟ କିଡ଼ନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ଜାଣି ବାପା ମା’ ଙ୍କ ମୁଣ୍ଡରେ ଚଡକ ପଡିଯାଇଛି । କିପରି ପିଲାଟିକୁ ବଞ୍ଚାଇବେ କିଛି ବୁଦ୍ଧି ବାଟ ଦିଶୁନାହିଁ । ଡାକ୍ତର କହୁଛନ୍ତି ଯଥାଶୀଘ୍ର ୧୫ ଦିନ ମଧ୍ୟରେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ । ଯାହାଦ୍ୱାରା ଗୋଟାଏ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ ଏବଂ ଝିଅଟି ବଞ୍ଚିପାରିବ ।

ଏବେ କୁନି ଝିଅଟିର ଡ଼ାଇଲିସିସ ଚାଲିଥିବା ବେଳେ ବାପା ମଦନଙ୍କ ପାଖେ ସେହି ପରିମାଣରେ ଅର୍ଥ ନାହିଁ । କୋଲକାତାରେ ଦିନ ମଜୁରିଆ ଭାବେ କାମ କରି ମାସକୁ ଅତି ବେଶୀରେ ୧୫ ହଜାର କମାଉଥିବା ବାପାଟି ଝିଅ ପାଇଁ ୧୫ ଲକ୍ଷ କୁଆଡୁ ଆଣିବ କହି ପାଗଳଙ୍କ ପରି କାନ୍ଦୁଥୁବାର ଦେଖା ଯାଇଛି । କୋହ ବିକଳରେ ସୁଦୂର କୋଲକାତାରୁ ଗଣମାଧ୍ୟମ ଜରିଆରେ ସେ ତାଙ୍କ ଝିଅଙ୍କୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ନିଜ ଝିଅର ଚିକିତ୍ସା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା ମଦନ ।

ଝିଅଟି ବର୍ତ୍ତମାନ କୋଲକାତା ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଚାଇଲଡ ହେଲଥ ନାମକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି । ଯଦି କୌଣସି ସହୃଦୟ ବ୍ୟକ୍ତିବିଶେଷ ଛୋଟ ଝିଅଟିର ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପିତା ମଦନ ନାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ପେ ନମ୍ବରରେ ଅର୍ଥ ପଠାଇବାକୁ ମଦନ ଅଶ୍ରୁଳ ନିବେଦନ କରିଛନ୍ତି । ସେଥିପାଇଁ ମୋବାଇଲ ନମ୍ବର ୯୯୦୩୩୮୩୭୫୩ ରେ ଯୋଗାଯୋଗ କରି କିଛି ଆର୍ଥିକ ସାହାଯ୍ୟ କଲେ ପିଲାଟିର ଜୀବନ ବଞ୍ଚିପାରନ୍ତା । ତେବେ ନିମ୍ନଲିଖିତ ବ୍ୟାଙ୍କ ବିବରଣୀ ମାଧ୍ୟମରେ ଆପଣମାନେ ମଧ୍ୟ କୁନି ଝିଅଟିକୁ ଆର୍ଥିକ ସାହାଯ୍ୟ କରିପାରିବେ।
ବ୍ୟାଙ୍କ- ଇଣ୍ଡିଆନ ବ୍ୟାଙ୍କ
ଆକାଉଣ୍ଟ ହୋଲଡ଼ର ନାମ- ମଦନ ନାୟକ
ଶାଖା- ଟଲିଗଞ୍ଜ, କୋଲକାତା
ଆକାଉଣ୍ଟ ନମ୍ବର- ୪୪୮୭୫୪୩୦୨
ଆଈଏଫଏସସି କୋଡ଼- ଆଇଡିଆଇବି୦୦୦ଟି୦୫୧ (IDIB000T051)
ଫୋନ ପେ ନମ୍ବର- ୯୯୦୩୩୮୩୭୫୩
ଯୋଗାଯୋଗ ନମ୍ବର- ୯୯୦୩୩୮୩୭୫୩
( ଉପର ଲିଖିତ ନମ୍ବରରେ ଯୋଗାଯୋଗ କରି ପ୍ରଥମେ ନିଶ୍ଚିତ କରନ୍ତୁ, ତାପରେ ସହଯୋଗ କରନ୍ତୁ )

