ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ସମୟରେ ନୟାଗଡରେ ବଦଳୁଛି ରାଜନୈତିକ ପାଣିପାଗ . ଇରାନୀ ଙ୍କୁ ଛାଡି ଅରୁଣ ଙ୍କ ହାତ ଧରିଲେ ନୟାଗଡ଼ ର ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ । ବହୁ ବର୍ଷର ଇରାନୀ ନିରୁପମା ବନ୍ଧୁତ୍ୱ ରେ ପଡିଲା ଛକ ଚିହ୍ନ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି କର୍ମୀ ଓ ନେତା ମାନଙ୍କର ଦଳ ଡିଆଁ ପର୍ବ ସେତେ ବଢ଼ିବାରେ ଲାଗିଛି । ନୟାଗଡ଼ ବିଧାନସଭା କ୍ଷେତ୍ର କୁ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିରୋଧୀ ଶୁନ୍ୟ କରିବା ଦିଗରେ ଦିନକୁ ଦିନ ସଫଳ ହେବାରେ ଲାଗିଛନ୍ତି । ବିଜେଡି ର ଏକ ମିଶ୍ରଣ ପର୍ବରେ ପୂର୍ବରୁ ବିଜୁ ଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ ପୁଣିଥରେ ବିଜେଡି ରେ ଯୋଗ ଦେଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀ ଡ. ସାହୁ ନିଜର କ୍ଷମତା ବଢ଼ାଇ ଚାଲିଥିବା ବେଳେ ଅନ୍ୟ ପଟେ ଦିନକୁ ଦିନ ଜିଲ୍ଲା ବିଜେପି କ୍ଷମତା ଶୂନ୍ୟ ହେବାରେ ଲାଗିଛି । ଜିଲ୍ଲା ବିଜେପି ରେ ଗୋଷ୍ଠୀ କନ୍ଦଳ ଏବଂ ନେତୃତ୍ୱରେ ଅସନ୍ତୋଷ ହୋଇ ଦଳ ଛାଡୁଥିବା ପ୍ରକାଶ କରୁଛନ୍ତି କର୍ମୀ ଏବଂ ନେତା ମାନେ । ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ନୟାଗଡ଼ ମ୍ୟୁନିସିପାଲଟି ର ପୁର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଦଶରୁ ଅଧିକ ବିଜେପି ର ଆଗଧାଡିର ଛାମୁଆ ନେତା ଓ କର୍ମୀ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ।