ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ସାରା ରାଜ୍ୟରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଅତିଥି ମାନଙ୍କ ଗହଣରେ ଉକ୍ତ କାର୍ଡ ବଣ୍ଟନ କରାଯାଉଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଶତାଧିକ ବିଜେପି କର୍ମୀ ଏକାଠି ହେବା ସହ ନାରାବାଜି କରିଥିଲେ । ସୂଚନା ମୁତାବକ ରବିବାର ଦିନ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନ ନିମନ୍ତେ ସରପଞ୍ଚଙ୍କ ସମେତ ଚିଲିକା ବିଧାୟକଙ୍କ ନାମକୁ ସ୍ଥିର କରିଥିଲା ବ୍ଲକ ପ୍ରଶାସନ । କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହଙ୍କୁ ନିମନ୍ତ୍ରଣ କରାଯାଇ ନଥିବାର ଅଭିଯୋଗ ହୋଇଥିଲା । ଅପରପକ୍ଷେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅନ୍ୟ ପଞ୍ଚାୟତର ଦଳୀୟ କର୍ମୀଙ୍କୁ ନେଇ ଭେଟେଶ୍ୱର ପଞ୍ଚାୟତରେ ଅଶାନ୍ତ ବାତାବରଣ ସୃଷ୍ଟି କରାଉଥିବାର ବିଜେପି ଅଭିଯୋଗ ଆଣିଥିଲା । ଏହି ପରିପ୍ରେକ୍ଷୀରେ ଶତାଧିକ ବିଜେପି କର୍ମୀ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରାଇ ନଦେବାକୁ ଜିଦ ଧରିଥିଲେ । କିଛି ସମୟ ଧରି ବିଜେପି ଆଉ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ବିରୋଧକୁ ଦେଖି ଚିଲିକା ବିଧାୟକ ଉକ୍ତ କାର୍ଯ୍ୟକ୍ରମକୁ ଆସି ନଥିବାର ଦେଖିବାକୁ ମିଳିଥିଲା । ପରିଶେଷରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କ ଦ୍ୱାରା ହିତାଧିକାରୀଙ୍କୁ ଉକ୍ତ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ଭେଟେଶ୍ୱର ପଞ୍ଚାୟତରେ ଚିଲିକା ବିଧାୟକଙ୍କ ହେଲଥ କାର୍ଡ ବଣ୍ଟନକୁ ବିଜେପିର ଜୋରଦାର ବିରୋଧ !!!

