ବାଲୁଗାଁ ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା : ନିଦ୍ରାରେ ଏନ୍ଏସି ପ୍ରଶାସନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ର ଜନସଂଖ୍ୟା ଏବଂ ଆୟତ୍ତନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ନିକଟରେ ଏନଏସିର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ମୁକ୍ତା ଯୋଜନା ଅନ୍ତର୍ଗତ ୨୬ ଲକ୍ଷ ଟଙ୍କା ମଂଜୁର ମଧ୍ୟ ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ସହରର ଉନ୍ନତି ପାଇଁ ଏନଏସି ପ୍ରଶାସନ ଚିନ୍ତା କରୁଥିବା ବେଳେ କିନ୍ତୁ ସହରର ନାଗରିକଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି । ଆମେ କହୁଛୁ ସହରର ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳ ଆଇ.ବି ରୋଡ଼ କଥା । ଗତ ଏକମାସ ପୂର୍ବେ ବାତ୍ୟା ‘ଜୱାଦ’ କୁ ଆଖି ଆଗରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ଆଇ.ବି ରୋଡ଼ ପାର୍ଶ୍ୱରେ ଥିବା ପୁରୁଣା ଡ୍ରେନକୁ ଜେସିବି ଲଗାଇ ଖୋଳି ଦିଆଯାଇଥିଲା । ଯାହା ଫଳରେ ଡ୍ରେନ ପାର୍ଶ୍ୱରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତାଟି ମୁକୁଳା ଡ୍ରେନ ପାଲଟିଗଲା । ତେବେ ଏହା ଖୋଳିବାର କାରଣ କଣ ଏଯାବତ ବାରି ହେଉନାହିଁ । ରାସ୍ତା ପାର୍ଶ୍ୱରେ ମୁକୁଳା ଡ୍ରେନ ଥିବାରୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । କିନ୍ତୁ ଏନଏସି କର୍ତ୍ତୃପକ୍ଷଙ୍କ ନଜର ପଡୁନି ।

ଡ୍ରେନଟି ପୁନଃରୁଦ୍ଧାର ପାଇଁ ଖୋଳା ଯାଇଥିବାର ଏନଏସି ପ୍ରଶାସନ ସ୍ପଷ୍ଟୀକରଣ ଦେଉଥିବା ବେଳେ, ବାତ୍ୟା ଯିବାର ପାଖାପାଖି ୨୫ ଦିନ ହେଲାଣି, କିନ୍ତୁ ଏଯାବତ ପାଞ୍ଚ ପଇସାର କାମ ଏଠାରେ ହୋଇନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ତରବରିଆ ଭାବେ ଡ୍ରେନକୁ ଜେସିବି ଲଗାଇ ଖୋଳାଗଲା କଣ ପାଇଁ ? ରୋଡ଼ ପାର୍ଶ୍ୱ ଖୋଳା ଯାଇଥିବାରୁ ଜନସାଧାରଣ ଦୋକାନ ବଜାରକୁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ରାସ୍ତା ପାର୍ଶ୍ୱକୁ ସମତୁଲ ମଧ୍ୟ କରିବାକୁ ଭୁଲିଯାଇଛି ଏନଏସି ପ୍ରଶାସନ । ଏପରିକି ଗତକାଲି ଜଣେ ବ୍ୟକ୍ତି ଉକ୍ତ ମୁକୁଳା ଡ୍ରେନରେ ପଡିଯାଇ କ୍ଷତବିକ୍ଷତ ହୋଇଥିବାର ଅଭିଯୋଗ ହୋଇଛି । ତେବେ ଏତେସବୁ ଘଟିଲା ପରେ ବି ଏନଏସି କର୍ତ୍ତୃପକ୍ଷ ଚୁପ ରହିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବାଲୁଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ସହରର ଏପରି ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇବ ତାହା ସାଧାରଣରେ ଅନୁମେୟ ହେଉଛି । ଯଥାଶୀଘ୍ର ଉକ୍ତ ଡ୍ରେନକୁ ଆବଦ୍ଧ କରିବା ସହ ଜେସିବି ଦ୍ୱାରା ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱକୁ ସମତୁଲ କରାଯିବା ପାଇଁ ସାଧାରଣରେ ଦାବି ହେଉଛି । ନହେଲେ ଯଦି ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି ।

One thought on “ବାଲୁଗାଁ ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା : ନିଦ୍ରାରେ ଏନ୍ଏସି ପ୍ରଶାସନ !!!

Leave a Reply

Your email address will not be published. Required fields are marked *