ଖଡିକାପଲ୍ଲୀ ଗ୍ରାମରେ ଥିବା ନିମ୍ବ ଗଛରୁ ଝରୁଛି ମିଠା କ୍ଷୀର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିମ୍ବ ପରି ଏକ ପିତା ଗଛରୁ ମିଠା କ୍ଷୀର ଝରୁଛି । ଏପରି ଏକ ପ୍ରାକୃତିକ ଘଟଣାକୁ ଜନସାଧାରଣ ଅଲୌକିକ ର ଆଖ୍ୟ ଦେଇ ଗଛରେ ଫୁଲମାଳ ସିନ୍ଦୂର ଏବଂ ମନ୍ଦିରର ଆଜ୍ଞାମାଳ ବାନ୍ଧି ନିମ୍ବ ବୃକ୍ଷରେ ଦେବୀ ମା ଆବିର୍ଭାବ ହୋଇଥିବା କଥା ପ୍ରଚାର କରିବା ଆରମ୍ଭ କରି ଶ୍ରଦ୍ଧାରେ କେତେକ ଗ୍ରାମବାସୀ ଗଛକୁ ପୂଜାର୍ଚ୍ଚନା କଲେଣି । ଏଣେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ନିମ୍ବ ଗଛରେ ବିଜାଣୁ (ବ୍ୟାକ୍ଟେରିଆ) ସଂକ୍ରମଣ ଯୋଗୁଁ ଏପରି କ୍ଷୀର ଝରୁଥିବା ଉଭିଦ ବିଜ୍ଞାନୀ ମାନେ ମତ ଦେଇଛନ୍ତି ।

ଚିଲିକା ବ୍ଲକ ବଡକୁଳ ପଞ୍ଚାୟତର ଖଡିକାପଲ୍ଲୀ ଗ୍ରାମରେ ଥିବା ଏକ ନିମ୍ବ ଗଛରୁ ଦୁଇ ଦିନ ହେବ କ୍ଷୀର ଭଳି ଧଳା ତରଳ ପଦାର୍ଥ ନିର୍ଗତ ହେଉଛି । ତେବେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ନୂଆ ହୋଇ ନଥିଲେ ମଧ୍ୟ ନିମ୍ବ ପରି ଏକ ଉପକାରୀ ପିତା ଗଛରୁ ମିଠା କ୍ଷୀର ବାହାରୁଥିବାରୁ , ଗଛରେ କୌଣସି ଦେବୀଙ୍କ ଆବିର୍ଭାବ ହୋଇଥିବା ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ହେଉଛି । ଦୁଇଦିନ ଧରି ଖଡିକାପଲ୍ଲୀ ଗ୍ରାମର ନିମ୍ବ ଗଛରୁ ଏପରି କ୍ଷୀର ଝରୁଛି। ତେବେ ଏ ସମ୍ପର୍କରେ ସ୍ପଷ୍ଟ ବୈଜ୍ଞାନିକ ମତ ମିଳିନଥିବା ସମୟରେ , ଘଟଣା ସମ୍ପର୍କରେ ପ୍ରଚାର ହେବାରୁ ଗଛକୁ ଦେଖିବା ପାଇଁ ଶନିବାର ଗଛ ନିକଟରେ ବହୁ ଲୋକ ରୁଣ୍ଡ ହୋଇଥିଲେ । ଗଛରୁ ବାହାରୁଥିବା କ୍ଷୀରକୁ ପ୍ରସାଦ ରୂପେ ସେବନ କରିବା ସହ ଗଛକୁ ଧୂପ ଓ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିବା ସହ ମହିଳାଙ୍କ ହରିବୋଲ ହୁଳହୁଳୀରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଥିଲା । କେତେକ ଶ୍ରଦ୍ଧାଳୁ ନିକଟରେ ଥିବା ପାଣ୍ଡବାଶୁଣୀଙ୍କ ମନ୍ଦିରରୁ ଆଜ୍ଞାମାଳ ଏବଂ ବାନା ଆଣି ଗଛରେ ବାନ୍ଧିବା ପରେ ଲୋକଙ୍କ ମନରେ ଅଗାଢ ବିଶ୍ଵାସ ସୃଷ୍ଟି ହୋଇଛି । ଗଛରେ ଦେବୀ ମା’ଙ୍କ ଆବିର୍ଭାବ ହୋଇଥିବାରୁ ଗଛରୁ ମିଠାକ୍ଷୀର ପ୍ରସାଦ ଝରୁଥିବା ଶ୍ରଦ୍ଧାଳୁ ମାନେ ପ୍ରଚାର କରୁଛନ୍ତି ।

Leave a Reply

Your email address will not be published. Required fields are marked *