ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦୁଇଦିନ ଧରି ଚାଲିଥିବା ଐତିହାସିକ ପଞ୍ଚୁଦୋଳ ମେଳଣ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ମେଲଣ ରେ ଚଳିତ ବର୍ଷ ପାଖାପାଖି ୮୪ ଟି ବିମାନରେ ୧୬୭ ଗୋଟି ଦେବାଦେବୀଙ୍କ ମହା ଉତ୍ସବ ବାଣପୁର ସ୍ଥିତ ପଲଟନ ପଡ଼ିଆରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଉତ୍ସବ ମୁଖର ବାଣପୁର ପଲଟନ ପଡ଼ିଆ ପଞ୍ଚୁଦୋଳ ମେଲଣ । ପ୍ରଥମ ରାତ୍ରିରେ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣରେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର, ମା ଭଗବତୀ, ଆଠ ଶାସନ ମୁଖ୍ୟ ରଙ୍କନାଥ ଦେବ, ନଅ ଦେଉଳର ମୁଖ୍ୟ ଶ୍ରୀ ଶ୍ରୀ ଉମା ମହେଶ୍ବର ଦେବ ଙ୍କ ସମେତ ଅନେକ ଦେବଦେବୀ ସୁସଜିତ ବିମାନରେ ଘଣ୍ଟ, କାହାଳ, ମୃଦଙ୍ଗ ସାଙ୍ଗକୁ ବାଜା ରୋଷଣୀ ସହ ରଙ୍ଗୀନ ଆଲୋକମାଳାରେ ସଜିତ ବିମାନଗୁଡିକୁ ପାଛୋଟି ନେଇଥିଲେ ମେଲଣ ପଡିଆ ସ୍ଥିତ ନିଜ ନିଜ ନିଜର ସୁସଜିତ ଦୋଳ ବେଦୀକୁ । ଦୋଳ ବେଦିରେ ବସି ଠାକୁର ମାନେ ଦର୍ଶନ ଦେଇଥିଲେ ଭକ୍ତ ମାନଙ୍କୁ ।
ଗତ ଦୁଇ ବର୍ଷ ଧରି ପଞ୍ଚୁଦୋଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଥିଲା କରନା । ଯେଉଁଥି ପାଇଁ ପଞ୍ଚୁଦୋଳ ଦେଖିବାର ସୁଯୋଗ ମିଳି ନଥିଲା ଭକ୍ତ ମାନଙ୍କୁ । କିନ୍ତୁ ଏଥର ଦୋଳ ମଣ୍ଡପରେ ଭଳିକି ଭଳି ରଙ୍ଗ ବେରଙ୍ଗ ସୁସଜିତ ବିମାନରେ ଦେବା ଦେବୀ ମାନେ ଦିନ ତମାନ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ । ଏଭଳି ସୁଯୋଗକୁ କିପରି ହାତ ଛଡା କରନ୍ତେ । ଶହ ଶହ ଭକ୍ତ ଶ୍ରଦ୍ଧାଳୁମାନେ ଠାକୁର ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପ୍ରଭୁ କୃପା ଲାଭପାଇଁ ଠାକୁର ଙ୍କ ନିକଟରେ ହାତରେ ଦୀପ ଧରି ପ୍ରାର୍ଥନା କରୁଥିଲେ । ଠାକୁର ଦର୍ଶନ ସହ ଅସ୍ଥାୟୀ ଦୋକାନ ବଜାର ରେ କିଣାବିକା ସହ ପିଲା ଠାରୁ ବୁଢା କାହା ହାତରେ ବେଲୁନ ତ କାହା ହାତରେ ଆଇସକ୍ରିମ ପୁଣି କାହା ହାତରେ ଖେଳନା ଧରି ଦୋଳ ମେଲଣ ର ଭରପୁର ମଜା ନେଉଥିଲେ । ପଞ୍ଚୁଦୋଳ ର ପରଦିନ ଏଠାରେ ମେଲଣ ସମାପନ ହୋଇଥାଏ । ସମାପନ ଦିବସରେ ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ବିମାନ ପରିକ୍ରମା । ନିଜ ନିଜର ବିମାନ ଙ୍କୁ କାନ୍ଧରେ ଧରି ପଡ଼ିଆରେ ଗୋଲାକାର ବୃତ୍ତ ଆକାରରେ କ୍ଷିପ୍ର ଗତିରେ ପଡିଆ ଠାକୁର ମାନଙ୍କୁ ପରିକ୍ରମା କରାନ୍ତି ।
ସରିଲା ବାଣପୁର ର ଐତିହାସିକ ପଞ୍ଚୁଦୋଳ ମେଳଣ !!!

