ମଧୁପୁର ଖୋର୍ଦ୍ଧା ରେ ରେଳ ଫାଟକ ଉଠାଇବା ପ୍ରତିବାଦ ରେ ଶାନ୍ତିପୂର୍ଣ୍ଣ ଗଣଧାରଣା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ନିକଟସ୍ଥ ଧଉଳିମୁହଁ ଓ ତାପଙ୍ଗ ଷ୍ଟେସନ ମଧ୍ୟରେ ମଧୁପୁର ଠାରେ ପୂର୍ବତଟ ରେଳବାଇ ର ଥିବା ଗେଟ୍ ନଂ ୨୧୦ କୁ ରେଳ ବିଭାଗ ଉଠାଇ ଦେବା ପାଇଁ ସ୍ଥିର କରିବା ପରେ ଦେଖା ଦେଇଛି ଉତ୍ତେଜନା । ଏହି ଗେଟ୍ ଉପରେ ପ୍ରାୟ ତିନୋଟି ପଞ୍ଚାୟତ ର ପାଖାପାଖି ଦଶ ହଜାର ଲୋକ ନିର୍ଭର କରିଥାନ୍ତି । ବିଶେଷ କରି ମଧୁପୁର ଗ୍ରାମର ଅଧିବାସୀ ମାନେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଗେଟ୍ ର ଆର ପାଖରେ ଗ୍ରାମର ଶ୍ମଶାନ, ପୋଖରୀ, ତୋଟା ବଗିଚା ଅଙ୍ଗନବାଡି କେନ୍ଦ୍ର ରହିଛି । ଏହା ବନ୍ଦ ହେଲେ ଗ୍ରାମର ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେବେ ।

ପୂର୍ବ ଘୋଷଣା ଅନୁଯାୟୀ ଆଜି ରେଳବାଇ କର୍ତ୍ତୃପକ୍ଷ ଏହା କୁ ବନ୍ଦ କରିଦେବା ପାଇଁ ଆସିଥିଲେ । ଲୋକମାନଙ୍କର ପ୍ରବଳ ବିରୋଧ ହେତୁ ଏହା ସମ୍ଭବ ହୋଇ ପାରି ନଥିଲା । ଖବର ପାଇ ରେଳବାଇ ବରିଷ୍ଠ ଅଧିକାରୀ ଏବଂ ଖୋର୍ଦ୍ଧା ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କୌଣସି ସମାଧାନ ର ଉପାୟ ନବାହାରି ପାରିବାରୁ ଉପ-ଜିଲ୍ଲାପାଳ ଆସି ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ । ଶେଷରେ କୌଣସି ପ୍ରକାର ସମାଧାନ ହୋଇ ନ ପାରିବା ରୁ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା । ଆଶ୍ୱାସନା ସ୍ୱରୂପ ଆସନ୍ତା ମାସ ୪ ତାରିଖରେ ଗ୍ରାମ ର କିଛି ଲୋକ , ଡି ଏମ୍ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ର ସମାଧାନ କରାଯିବ ବୋଲି ଉପ-ଜିଲ୍ଲାପାଳ କହିବାରୁ ଆନ୍ଦୋଳନ ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *