ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖଣି ମାଫିଆ ଙ୍କ କବଜା ରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଜମି . ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ ରାଜସ୍ୱ ଗ୍ରାମରେ ଥିବା ହଜାର ହଜାର ଏକର ମୂଲ୍ୟବାନ ଜମିରୁ ମାଫିଆ ମାନେ ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ସମୟ ରୁ ଅଦ୍ୟାବଧି ବେଆଇନ ଭାବେ କୋଟି କୋଟି ଟଙ୍କାର ମୂଲ୍ୟବାନ ମାଙ୍କଡ଼ା ପଥର ଏବଂ ମୋରମ ଖୋଳି ନେଉଛନ୍ତି . ଏହି ବେଆଇନ ଲୁଟ ପଛରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକ କାର୍ଯ୍ୟାଳୟ, ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ , ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ , ସ୍ଥାନୀୟ ପୁଲିସ ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଥିବାର ଅଭିଯୋଗ ଆଣି ଜାତୀୟ ସବୁଜ ପ୍ରାଧିକରଣ ( National Green Tribunal ) ଙ୍କର ଦ୍ୱାରସ୍ଥ ହୋଇଥିଲେ ସାମାଜିକ କର୍ମୀ . ମାଙ୍କଡ଼ା ପଥର ମାଫିଆ ମାନେ ନିଜିଗଡ଼ ତାପଙ୍ଗ ଏବଂ ଝିଙ୍କିଝାରି ମୌଜାରେ ୫୦୦ ଏକର ପରିମିତ ଅଞ୍ଚଳରୁ ୫୦ ଫୁଟରୁ ଉର୍ଦ୍ଧ ଗର୍ତ୍ତ କରି ମାଙ୍କଡ଼ା ପଥର ଚୋରା ଚାଲାଣ କରୁଛନ୍ତି ,ଏଥିରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ମୂଲ୍ୟବାନ ଜମି ନଷ୍ଟ ହେବା ସହ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହାନି ମଧ୍ୟ ହେଉଛି .

ଏହି ବେଆଈନ ପଥର ଉତ୍ତୋଳନ ଏବଂ ଚୋରା ଚାଲାଣକୁ ରୋକିବା ପାଈଁ ସ୍ଥାନୀୟ ପ୍ରଭାବିତ ଅଞ୍ଚଳର ବିଧୂ ଭୂଷଣ ହରିଚନ୍ଦନ, ଦିଲ୍ଲୀପ କୁମାର ସାମନ୍ତରାୟ ଏବଂ ଅନ୍ୟ କିଛି ସାମାଜିକ କର୍ମୀମାନେ ୨୦୧୮ ମସିହାରେ ମାନ୍ୟବର ଜାତୀୟ ସବୁଜ ପ୍ରାଧିକରଣ ( National Green Tribunal ) ଙ୍କର ଦ୍ୱାରସ୍ଥ ହୋଇଥିଲେ . ମାନ୍ୟବର ପ୍ରାଧିକରଣ ଅଭିଯୋଗର ଶୁଣାଣୀ କରି ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଥିଲେ, ମାନ୍ୟବର ଅଦାଲତ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଥିଲେ ଯେ ବେଆଇନ ପଥର ପରିବହନ କରୁଥିବା ଗାଡି଼ ଏବଂ ବେଆଇନ ପଥର ଉତ୍ତୋଳନକାରୀ ଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ପାଖାପାଖି ୧୨ କୋଟି ଟଙ୍କା ପରିବେଶ କ୍ଷତିପୂରଣ ଆଦାୟ କରିବାକୁ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କୁ ନିର୍ଦ୍ଦେଶ ଦେଇଥିଲେ . ତାଛଡା କେତେ ପରିମାଣର ପରିବେଶ ନଷ୍ଟ ହୋଇଛି ତାହା ଆକଳନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଚୂଡ଼ାନ୍ତ ରିପୋର୍ଟ ଦେବାକୁ ମାନ୍ୟବର ଅଦାଲତ ସ୍ପଷ୍ଟ କରିଥିଲେ . ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ଆଜି ଦିଲ୍ଲୀରୁ ଏକ କେନ୍ଦ୍ରୀୟ ଟିମ୍ ଓଡି଼ଶା ଆସିଥିଲେ, ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବିସ୍ତୁତ ଆଲୋଚନା ପରେ ଟିମ୍ ସ୍ଥାନୀୟ ପ୍ରଶାସନ ସହ ଖଣି ଅଞ୍ଚଳ ପରିଦର୍ଶନ ରେ ଆସିଥିଲେ . ଯେଉଁଥିରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଭାରତ ସରକାରଙ୍କ ପ୍ରତିନିଧି, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ଙ୍କ ପ୍ରତିନିଧି, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବେର୍ଡ଼, ଓଡି଼ଶା, ଭୁବନେଶ୍ୱର , ପରିବେଶ ବିଶେଷଜ୍ଞ, ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ( State Environment Impact Assessment Authority ) , ଜଗନ୍ନାଥ ମନ୍ଦିର ପରିଚାଳନା ଅଧିକାରୀ, ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଆଦି ଉପସ୍ଥିତ ଥିଲେ . ଅଭିଯୋଗକାରୀ ଭାବେ ଦିଲୀପ କୁମାର ସାମନ୍ତରାୟ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ବେଆଇନ ଖଣିଜ ଦ୍ରବ୍ୟ ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଉକ୍ତ ଅଞ୍ଚଳକୁ ପୂର୍ବ ସ୍ଥିତିକୁ ଫେରାଈ ଆଣିବାକୁ ଦାବି କରିଥିଲେ . ଉଚ୍ଚସ୍ତରୀୟ କମିଟି ଅଭିଯୋଗ କୁ ଗୁରୁତର ସହ ଗ୍ରହଣ କରି ପ୍ରଥମେ ଗର୍ତ୍ତକୁ ପୋତି ସମତଳ କରି କାଜୁ ଜଙ୍ଗଲ ସୃଷ୍ଟି କରିବାକୁ ସ୍ପଷ୍ଟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବେଆଇନ ଖଣି ଉତ୍ତୋଳନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ।

