ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ ଗଡିଛି । ଉକ୍ତ ରଥକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ବାଣପୁର ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ରଥଟି ବାହାରି ଏନଏସି , ଭୀମପୁର ଏବଂ ପଦନପୁର ଆଦି ତିନି ଗୋଟି କ୍ଲଷ୍ଟର ଅତିକ୍ରମ କରିଛି । ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି ବିଦ୍ୟାଳୟ ମୁହାଁ କରିବା ପାଇଁ ସଚେତନତାର ବାର୍ତ୍ତା ନେଇ ଉକ୍ତ ରଥ ପରିକ୍ରମା କରୁଛି । କରୋନା ସମୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ଥିବାରୁ ମୁଖ୍ୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଏକରକମର ବିଦ୍ୟାଳୟରୁ ମୁହଁ ଫେରାଇ ଦେଇଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଏପରି ପଦକ୍ଷେପ ହାତକୁ ନିଆଯାଇଛି । ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ରଥ ବାଣପୁର ବ୍ଲକର ସମସ୍ତ ୧୨ ଗୋଟି କ୍ଲଷ୍ଟର ପରିକ୍ରମା କରିବ ବୋଲି ବିଇଓ ସନାତନ ଜାଲି କହିଛନ୍ତି । ତତସହିତ ଉକ୍ତ ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ନିଜ ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଇଓ ସନାତନ ଜାଲି, ବ୍ଲକର ସମସ୍ତ ବିଆରସିସି, ସିଆରସିସି, ଏବିଇଓ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ ।