ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଣିଥରେ ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି । ଟଙ୍କା ଓ ବାଇକ ଲୁଟି ନେଇ ଫେରାର ହୋଇଛନ୍ତି ଲୁଟେରା । ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି । ଖବର ମୁତାବକ ଗତକାଲି ମଧ୍ୟାହ୍ନରେ ବିଦ୍ୟୁତ ଦେୟ କଲେକ୍ସନ ପାଇଁ ଚୁକ୍ତିନାମା କରିଥିବା ସଂସ୍ଥା ଷ୍ଟେର୍ଲିଙ୍ଗର ମିଟର ରିଡର କର୍ମଚାରୀ ପ୍ରଶାନ୍ତ ବେହେରା ଏବଂ ଟ୍ରେନିଙ୍ଗ କର୍ମଚାରୀ ରାକେଶ କୁମାର ଦାସ ଏକ ସ୍କୁଟି ଓ ଆପାଚି ବାଇକ ଯୋଗେ ଅରାଙ୍ଗ ଗ୍ରାମକୁ କଲେକ୍ସନ ପାଇଁ ଯାଇଥିଲେ । ତେବେ ଅପରାହ୍ନରେ କଲେକ୍ସନ ସାରି ଫେରୁଥିବା ବେଳେ କଦଳୀବାରି ନିକଟରେ ହଠାତ ମୁଖା ପିନ୍ଧି ତିନି ଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ଉଭୟଙ୍କ ଉପରେ ଲଙ୍କା ଗୁଣ୍ଡ ଫୋପାଡ଼ିଥିଲେ । ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରାକେଶଙ୍କ ଉପରେ ଲଙ୍କା ଗୁଣ୍ଡ ପଡ଼ି ନଥିଲା । ଏହାପରେ ଦୁର୍ବୁତ୍ତ ମାନେ ଉଭୟଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଧମକାଇ ପ୍ରଶାନ୍ତଙ୍କ ନିକଟରୁ କଲେକ୍ସନ ଏବଂ ବ୍ୟକ୍ତିଗତ ପଇସା ସମୁଦାୟ ୧୩ ହଜାର୨ ଶହ ଟଙ୍କା, ମୋବାଇଲ ଓ ରାକେଶଙ୍କ ଆପାଚି ବାଇକ ନେଇ ବାଣପୁର ଆଡେ ଫେରାର ହୋଇ ଯାଇଥିଲେ । ତେବେ ଆକ୍ରମଣ ସମୟରେ ପ୍ରଶାନ୍ତ ନିଜ ସ୍କୁଟି ଚାବିକୁ ବୁଦା ଆଡକୁ ଫୋପାଡ଼ି ଦେବାରୁ ଦୁର୍ବୁତ୍ତ ମାନେ ସ୍କୁଟି ନେଇ ପାରିନଥିଲେ । ବର୍ତ୍ତମାନ ଉକ୍ତ ଠିକା କମ୍ପାନୀର ଉପରିସ୍ଥ ଅଧିକାରୀ ଏବଂ ଲୁଟର ଶିକାର ହୋଇଥିବା କର୍ମଚାରୀ ବାଣପୁର ଥାନାରେ ପହଞ୍ଚି ଏତଲା ଦେଇଥିବାର ଜଣା ପଡିଛି । ତେବେ ଗତ ୨୦ ଦିନ ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏହା ବନ୍ଧୁକ ମୁନରେ ତୃତୀୟ ଲୁଟ ହୋଇଥିବା ବେଳେ ଲୁଟେରାଙ୍କୁ ପୋଲିସ ଏଯାବତ ଠାବ କରିବାରେ ବିଫଳ ହୋଇଛି । ଯଥାଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ହେଉଛି ।
ବାଣପୁରରେ ପୁଣି ବନ୍ଧୁକ ମୁନରେ ଲୁଟ୍ : ମିଟର ରିଡର କର୍ମଚାରୀଙ୍କ ଠାରୁ ଗାଡି, ଟଙ୍କା ଲୁଟିଲେ ଦୁର୍ବୃତ୍ତ !!!

