କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ୱରପୁର ନିବାସୀ ତଥା କଟକ ଚଣ୍ଡିଛକରେ ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଥିବା ବିଶିଷ୍ଟ ଶିକ୍ଷାବିତ୍ ମନୋଜ ପ୍ରହରାଜଙ୍କର (୪୭ ) କର୍କଟ ରୋଗରେ ପୀଡିତ ହୋଇ ଆଜି ପରଲୋକ ହୋଇଯାଇଛି । ୧୯୯୦ ମସିହାରେ ସ୍ଥାନୀୟ ଗୋପାଳ ସ୍ମୃତି ବିଦ୍ୟାପୀଠ ରୁ ମାଟ୍ରିକ ପାସ କରିବା ପରେ କଟକ ସ୍ଥିତ ରେଭେନ୍ସା ବିଶ୍ଵ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ବିଭିନ୍ନ ସରକାରୀ ଚାକିରୀ ପାଇବା ସତ୍ତ୍ୱେ କେବଳ ଗରୀବ ଶ୍ରେଣୀର ପିଲା ମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ସେ ସରକାରୀ ଚାକିରି ନକରି ମାଗଣାରେ ପାଠ ପଢ଼ାଇବା ଆରମ୍ଭ କରି ଏକ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କର ଆଜିବି ଅନେକ ଛାତ୍ର ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ।ସେ ଗତ କିଛି ବର୍ଷ ହେବ କର୍କଟ ରୋଗରେ ପୀଡିତ ଥିବା ସତ୍ତ୍ୱେ କାହାକୁ କିଛି ନଜଣାଇ ଶିକ୍ଷାଦାନ କରି ଚାଲିଥିଲେ । ଆଜି ମାତ୍ର ୪୭ ବର୍ଷରେ ତାଙ୍କର ପରଲୋକ ହେବା ଫଳରେ କେବଳ କଟକ ସଦର ଅଞ୍ଚଳ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରଲୋକ ଖବର ଶୁଣି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଗରିବ ଗୁରୁବାଙ୍କ ସେବା କରୁଥିବା ଶ୍ରୀ ପ୍ରହରାଜଙ୍କ ନିଧନରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ଆଇଟିସି କମ୍ପାନୀର ବରିଷ୍ଠ ଅଧିକାରୀ ପ୍ରକାଶ ମିଶ୍ର , ନିଆଳି ସ୍ଥିତ ଅକ୍ସଫୋଡ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଅଭିରାମ ସାହୁ, ଯୁବ ସାମ୍ବାଦିକ ତାପସ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁରେ ଶିକ୍ଷାଦାନ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ହୋଇଥିବା ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରକାଶ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କର ବହୁ ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀ ଉପସ୍ଥିତ ଥିଲେ ।
ଆଉ ନାହାନ୍ତି ଶିକ୍ଷାବିତ୍ ମନୋଜ ପ୍ରହରାଜ !!!!

