ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦନ୍ତା ଯୋଗୁଁ ଗଲା ଆଉ ଏକ ଜୀବନ । ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ହେଉଛନ୍ତି ତାଳଚେର ବ୍ଲକ ହିଲୋଇ ଗାଁ ‘ ର ବଚନ ବେହେରା (୬୨) । ସୂଚନା ମୁତାବକ, ବଚନ ରାତିରେ ଘରେ ଶୋଇଥିବା ବେଳେ ପାଖ ଜଙ୍ଗଲରୁ ଏକ ଦନ୍ତା ଆସି ତାଙ୍କ ଘର ଭାଙ୍ଗିଥିଲା । ପରେ ହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା । ଫଳରେ ବଚନଙ୍କ ଗୋଡ଼ ଓ ଛାତିରେ ଗୁରୁତର ଆଘାତ ଲାଗିଥିଲା । ହାତୀ ଆକ୍ରମଣରେ ସେ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଥିଲେ । ଗାଁ ଲୋକେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହାତୀ ଆକ୍ରମଣ ଖବର ପାଇ ସ୍ଥାନୀୟ ତାଳଚେର ପୋଲିସ ଓ ତାଳଚେର ବନ ବିଭାଗର ଅଧିକାରୀ ମାନେ ମୃତା ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି ମୃତା ଙ୍କ ପରିବାରକୁ ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ ପାଇଁ ଚେଷ୍ଟା କରିଥିବା ଜଣାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିଲା । ବନ ବିଭାଗ କର୍ମଚାରୀ ହାତୀଙ୍କୁ ରୋକିବାକୁ ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *