ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦେହ ବ୍ୟବସାୟ ଘଟଣା ନେଇ ସହରରେ ପୋଲିସ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛି ମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଗାଁ ଗହଳିର ବିବାହିତା ମହିଳା, ଯୁବତୀ ମାନଙ୍କୁ ପ୍ରଲୋଭନ ଦେଖାଇ ସେକ୍ସ ରାକେଟରେ ନିୟୋଜିତ କରୁଛନ୍ତି । ଏଭଳି ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଟାଙ୍ଗି ବ୍ଲକ ମୁଖ୍ୟ ରାସ୍ତା କଡରେ ଏକ ସେକ୍ସ ରାକେଟ ଚାଲିଥିବାର ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ଉକ୍ତ ଘର ଉପରେ ଯୋଜନାବଦ୍ଧ ଭାବେ ଚଢାଉ କରିଥିଲା । ଯେଉଁ ଜାଗାରେ ଏହି ସେକ୍ସ ରାକେଟ ଚାଲିଥିଲା, ସେହି ଘର ଚତୁଃପାର୍ଶ୍ଵରେ ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ଚଢାଉ ପରେ ଏଠାରୁ ଦୁଇ ଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଅଟକ ରହିଥିବା ମହିଳା ଜଣଙ୍କ ଏହି ସେକ୍ସ ରେକେଟର ରାଣୀ ମହୁମାଛି ବୋଲି ଜଣା ପଡିଛି । ତାଙ୍କର ନାମ ସୁନିତା ମଲ୍ଲିକ ବୋଲି ପୋଲିସ ସୂଚନା ଦେଇଛି । ତେବେ ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । ବର୍ତ୍ତମାନ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇ ଯାଇଛି । ଏଥିରେ କେବଳ ସେହି ମହିଳା ଜଣଙ୍କ ସାମିଲ ଅଛନ୍ତି, ନା ତାଙ୍କ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ ।