ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ପ୍ରକୋପ ଧିରେ ଧିରେ କମିବାକୁ ଲାଗିଥିବା ବେଳେ ପୁଣି ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ରୂପରେ ଏହା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଥିବାର ଦେଖିବାକୁ ମିଳିଛି । କିଏ ଜାଣେ ଏହା କେତେବେଳେ କାହାର ନା କାହାର ପ୍ରାଣ ନେଇପାରେ । ତେଣୁ ବିପଦ ଆସିବା ପୂର୍ବରୁ ଠିକ ଢଙ୍ଗରେ ସଚେତନ ରହିବା କୋଟି ଗୁଣ ଭଲ । ଏତଦ୍ଭିନ୍ନ ମହାମାରୀ ବିଭିନ୍ନ ଲୋକଙ୍କର ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଲୋକମାନଙ୍କର ଆର୍ଥିକ ଅବସ୍ଥା ବିପଦପୂର୍ଣ୍ଣ ହୋଇ ପଡିଛି । ତୃଣମୂଳ ସ୍ତରରେ ସେ ସବୁର ବିଲୋପ ସହ ଲୋକ ମାନଙ୍କର ଆର୍ଥିକ ବିକାଶ ନିମନ୍ତେ ସାଙ୍ଗଠନିକ କ୍ଷେତ୍ରରେ ଯତ୍ନବାନ ହେବା ଉଚିତ ବୋଲି ମଙ୍ଗଳପୁରଠାରେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କରୋନା ସଚେତନତା, କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୩୧ ତମ ସମୀକ୍ଷା ବୈଠକରେ ସମୀକ୍ଷକ ମାନେ ଯୋଗଦାନ କରି ମତବ୍ୟକ୍ତ କରିଛନ୍ତି ।

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୭୭୫ ଦିନ ଧରି ନିରବଚ୍ଛିନ୍ନ ଭାବରେ ବିଭିନ୍ନ ସ୍ଥାନରେ ସଚେତନତା ସହ ମାକ୍ସ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବସ୍, ଓଆରଏସ ସହ ଗରିବ ଅସହାୟ, ଭିକ୍ଷୁକ, ପାଗଳା ପାଗିଳି, ଦିବ୍ୟାଙ୍ଗ, ରୋଗୀ ଆଦିଙ୍କୁ ଖାଦ୍ୟ, ବସ୍ତ୍ର ,ଫଳ ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଉଥିବାର ଦେଖିବାକୁ ମିଳିଛି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ, ଏହାର ୭୭୫ ତମ ଦିବସର ୩୧ ତମ ସମୀକ୍ଷା ବୈଠକ ମଙ୍ଗଳପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ ,ସମାଜସେବୀ ସନ୍ତୋଷ କୁମାର ମହାନ୍ତି ଆଦି ଯୋଗଦାନ କରି ସମଗ୍ର ବିଶ୍ଵରୁ କରୋନାର ଆତଙ୍କରାଜ ଶେଷ ହେବା ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ ସହିତ କୋଭିଡ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ ।

