ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତର ବିଚାରପତି ଅଗସ୍ତୀ କୁମାର ସାହୁ ମଙ୍ଗଳବାର ଏକ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୦୧୮ ଜୁନ ୧୪ ତାରିଖ ଅପରାହ୍ନରେ ଖମାର ଥାନା ଅଞ୍ଚଳର ଜଣେ ୧୩ ବର୍ଷର ଆଦିବାସୀ ନାବାଳିକା ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଚକ୍ରଧରପୁର ବରିହାମୁଣ୍ଡା ଗାଁର ଗୁରୁ ବଦ୍ରା (୨୩) ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ନାବାଳିକା ଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୫୩ / ୨୦୧୮ରେ ଦଫା ୩୭୬(୩) ଓ ପକ୍ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ଦଲିଲ କୁ ଭିତ୍ତି କରି ବିଚାରପତି ଶ୍ରୀଯୁକ୍ତ ସାହୁ ଦଫା ୩୭୬(୩) ରେ ଅଭିଯୁକ୍ତ ଗୁରୁଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ । ସେହିଭଳି ପକ୍ସୋ ଆଇନର ଧାରା ୬ ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଦେବେ । ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ । ଜୋରିମାନା ଅର୍ଥ ଆଦାୟ ହେଲେ ଏହା ପିଡୀତାଙ୍କ ଭରଣ ପୋଷଣ ପାଇଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟମ ମାମଲା ପରିଚାଳନା କରିଥିଲେ ।

