ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେଙ୍କାନାଳ ର ବହୁବିଧ ସମସ୍ୟା ସମାଧାନ ପାଇଁ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ତରଫରୁ ସାତ ଦଫା ଦାବି ସମ୍ବଳିତ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏ ସବୁ ସମସ୍ୟାର ସମାଧାନ କରାଗଲେ ଢେଙ୍କାନାଳ ବାସୀଙ୍କ ବହୁ ଅସୁବିଧା ଦୂର ହୋଇପାରିବ । ଅନୁଷ୍ଠାନର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ ଓ ଅନୁଷ୍ଠାନର ଅନ୍ୟ ସଦସ୍ୟ ମାନଙ୍କ ସହିତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଏହି ଦାବି ପ୍ରଦାନ କରିଥିଲେ । ଏହି ଦାବି ଗୁଡ଼ିକ ହେଲା ୧ – ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରି ଏହାର ନାମକରଣ ଶହୀଦ ବାଜି ରାଉତଙ୍କ ନାମରେ ନାମିତ ହେଉ । ୨ – ସହରର ମୁଖ୍ୟ ରାସ୍ତାରୁ ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଦକ୍ଷିଣକାଳୀ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉ । ୩ – ଢେଙ୍କାନାଳ ପୌରାଞ୍ଚଳ ଓ୍ବାର୍ଡ ନଂ-୧ କଲେଜ ବାଇପାସ୍ ଛକ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ କରିବା ସହିତ ଏକତରଫା କରାଯାଉ । ୪ – ବନମାଳିପ୍ରସାଦ ଛକ ଓ ମହିଷାପାଟ ଛକଠାରେ ଜାତୀୟ ରାଜପଥ ଉପରେ ଓଭରବ୍ରିଜ୍ ନିର୍ମାଣ କରାଯାଉ । ୫ – ବାଜିଚୌକ ଛକ ଠାରୁ କପିଳାସ ରାସ୍ତା ଏବଂ ଷ୍ଟେସନ ରାସ୍ତାକୁ ସଂଯୋଗୀକରଣ କରାଯାଉ । ୬ – ସହରର ଜନଗହଳି ଓ ଟ୍ରାଫିକ ସମସ୍ୟାକୁ ଉପଲବ୍ଧି କରି ଢେଙ୍କାନାଳ ମୁଖ୍ୟ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ଅତ୍ୟାଧୁନିକ ବସଷ୍ଟାଣ୍ଡ କରାଯାଉ । ୭ – ସହରାଞ୍ଚଳର ବର୍ଦ୍ଧିତ ଜନ ସମାଗମକୁ ଦୃଷ୍ଟିରେ ରଖି ପୌରାଞ୍ଚଳର ୧ ନଂ ଓ୍ବାର୍ଡ ଠାରୁ ଭାୟା ଭଗବାନପୁର ଦେଇ ୨୩ ନଂ ଓ୍ବାର୍ଡ ପର୍ଯ୍ୟନ୍ତ ଏକ ରିଙ୍ଗ ରୋଡ ନିର୍ମାଣ କରାଯାଉ ।