ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ଜିଲ୍ଲାରେ ଜୈବିକ କୃଷିର ପ୍ରସାର ପାଇଁ ଆତ୍ମନିର୍ଭର କୃଷକ ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଅନୁଗୁଳ ଆଶ୍ରମ ପରିସରରେ ଗୁରୁବାର ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆତ୍ମ ନିର୍ଭର କୃଷକ ଅଭିଯାନ ୨୦୨୨ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଅନୁଗୁଳ ଶାଖା ମୁଖ୍ୟ ବ୍ରହ୍ମାକୁମାରୀ ମିନତି, ଏନଟିପିସି ଶାଖା ମୁଖ୍ୟ ଭଉଣୀ ଲଷ୍ମୀ , ତାଳଚେର ଶାଖା ପକ୍ଷରୁ ହଳଧର ଓ ବିଜୟ ଭାଇ ଯୋଗଦେଇ ଆସନ୍ତା ମେ ୨୩ ତାରିଖରେ ଅନୁଗୁଳ ଆଶ୍ରମରୁ ଆତ୍ମନିର୍ଭର କୃଷକ ଅଭିଯାନର ସଚେତନତା ରଥ ଶୁଭାରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । ସଚେତନତା ରଥ ୨୩ ତାରିଖ ସନ୍ଧ୍ୟାରେ ଅନୁଗୁଳ ବ୍ଲକ୍ ତଳଗଡରେ ପହଞ୍ଚିବ । ୨୪ ତାରିଖରେ ହିନ୍ଦୋଳ, ୨୫ ତାରିଖରେ ଆଠମଲ୍ଲିକ, ୨୬ ରେ ବଇଣ୍ଡ। , ୨୭ରେ ବାଗେଡ଼ିଆ, ୨୮ ଓ ୨୯ ରେ ଏନଟିପିସି ଏବଂ ୩୦ ତାରିଖରେ ତାଳଚେର ବ୍ଲକ୍ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ଜୈବିକ କୃଷି ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉତ୍ପାଦିତ ଶସ୍ୟ ଏବଂ ପନିପରିବା ଶରୀର ପାଇଁ ହିତକାରୀ । ତେଣୁ ଏହାର ପ୍ରୟୋଗ ଦ୍ବାରା ଚାଷୀର ସାମଗ୍ରିକ ଉନ୍ନତି ସାଧିତ ହେବ । ଭାରତ ବର୍ଷର ବିଭିନ୍ନ ଅଞ୍ଚଳରେ ୨୦୦୭ ମସିହାରୁ ଏହାର ପ୍ରୟୋଗ କରାଯାଇ ଅନେକ ରାଜ୍ୟରେ କୃଷକ ମାନେ ଲାଭବାନ ହୋଇଛନ୍ତି । ତେଣୁ ଓଡ଼ିଶାରେ ଏହାର ପ୍ରଚାର ଓ ପ୍ରସାର ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି ପ୍ରୟାସ କରାଯାଉଛି ବୋଲି ବ୍ରହ୍ମା କୁମାରୀ ମିନତୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଛା ବଛା କୃଷକ ମାନଙ୍କୁ ସମ୍ମାନୀତ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଥିଲେ ।

