ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ଅଧ୍ୟକ୍ଷତାରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଓ ସମସ୍ତ ୧୦ କାଉନ୍ସିଲରଙ୍କ ସମେତ ପୌରଯନ୍ତ୍ରୀ , ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଓ ପରିଷଦର କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଦୀପ ପ୍ରଜ୍ଜ୍ୱଳନ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ପିଲାଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ସମସ୍ତ ସଭ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ସମସ୍ତ କାଉନ୍ସିଲର୍ ଓ ବିଭାଗୀୟ କର୍ମକର୍ତ୍ତା ମାନଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ବିଗତ ୫ ବର୍ଷ ମଧ୍ୟରେ ପରିଷଦରେ ହୋଇଥିବା ଆୟବ୍ୟୟ ପଠନ କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବ କରାଯାଇଥିବା ସାମ୍ଭାବ୍ୟ ବଜେଟ୍ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏକ ଜନ ହିତକର କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି । ତାହା ହେଉଛି ୨୪ ଘଣ୍ଟିଆ ନିଶୁଳ୍କ ଯୋଗାଯୋଗ ନମ୍ବର – ୮୦୯୩୮୨୯୯୮୮ । ଏହି ନମ୍ବର ମାଧ୍ୟମରେ ନଗରବାସୀ ଯେକୌଣସି ସମୟରେ ନିଜ ନିଜ ସମସ୍ୟାକୁ ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ପାରିବେ । ଏହି ଯୋଗାଯୋଗ ନମ୍ବର କୁ ନେଇ ଶ୍ରୀମତୀ ପାଇକରାୟ କହିଛନ୍ତି ବାଲୁଗାଁ ଏନ୍ଏସି ବାସୀ ବହୁତ ଉପକୃତ ହେବେ । କାହାର କୌଣସି ସମସ୍ୟା ରହିବ ନାହିଁ । ପରେ ସର୍ବସାଧାରଣଙ୍କର ଯେକୌଣସି ସାହାର୍ଯ୍ୟ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ ମୋବାଇଲ୍ ନଂ- ୯୪୩୭୮୧୪୮୪୮ ସାର୍ବଜନୀନ କରିଛନ୍ତି । ଏହାପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ବାଲୁଗାଁ ଏନ୍ଏସିର ପ୍ରଥମ ସାଧାରଣ ବୈଠକ : ଲୋକଙ୍କ ସୁବିଧା ପାଇଁ ନିଶୁଳ୍କ ଯୋଗାଯୋଗ ନମ୍ବର ଜାରି !!!

