ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନ୍ୟାଞ୍ଚଳ ବାହାଡାଝୋଲା ସେକ୍ସନ ରେ ସନାତନ ସ୍ବାଇଁ ଫରେଷ୍ଟର ଭାବେ ଯୋଗ ଦେବା ପରେ କାଠ ମାଫିଆ , ବନ୍ୟଜନ୍ତୁ ଶିକାରୀ, ନିଶା ବ୍ୟବସାୟୀ ମାନଙ୍କ ନିଦ ହଜି ଯାଇଛି । କେତେବେଳେ ଦିନ ଦ୍ବିପହରରେ ତ କେତେବେଳେ ରାତି ଅଧରେ ତ ଆଉ କେତେବେଳେ ପାହାନ୍ତିଆ ରେ ବିଭିନ୍ନ ସମୟରେ ଜଙ୍ଗଲ ଭିତରେ ହେଉ କିମ୍ବା କାଠ ଲୁଚାଇ ରଖିଥିବା ସ୍ଥାନରେ ରେଡ୍ କରି ମାଫିଆ ମାନଙ୍କ ନିଦ ହଜାଇ ଦେଇଛନ୍ତି ଫରେଷ୍ଟର ଶ୍ରୀଯୁକ୍ତ ସ୍ବାଇଁ । ଭୋର ପ୍ରାୟ ୩ ଟା ସମୟରେ ଶ୍ରୀଯୁକ୍ତ ସ୍ବାଇଁ ଫରେଷ୍ଟ ସ୍କ୍ୱାର୍ଡ ନେଇ ବାହାଡାଝୋଲା ଜଗନ୍ନାଥ ରୋଡ଼ ରେ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ବାଇକ୍ ମଝିରେ ଏକ ବ୍ୟାଗ୍ ଧରି ଯାଉଥିବା ଦେଖି କୈାଣସି ଜଙ୍ଗଲ ଜନ୍ତୁ ଶିକାର କରି ନେଉଥିବା ସନ୍ଦେହ କରି ସେମାନଙ୍କ ପିଛା କରିଥିଲେ । ବାଇକ୍ ରେ ଯାଉଥିବା ଦୁବୃର୍ତ୍ତ ମାନେ ସେମାନଙ୍କ ପିଛା କରୁଥିବା ଜାଣିପାରି ପେଟ୍ରୋଲିଂ ଟିମ୍ କୁ ମାଉଜର ଦେଖାଇଥିଲେ। ଏହାକୁ ଖାତିର ନକରି ଶ୍ରୀଯୁକ୍ତ ସ୍ବାଇଁ ଏବଂ ତାଙ୍କ ଟିମ୍ ବାଇକ୍ ର ପିଛା କରିଥିଲେ । କିଛି ବାଟ ଛକାପଞ୍ଝା ପରେ ବ୍ୟାଗ ଟିକୁ ଫୋପାଡି ଦେଇଥିଲେ । କିଛି ବାଟ ପିଛା କରିଥିଲେ ମଧ୍ୟ ବାଇକ୍ ଆରୋହୀ ଖସି ପଳାଇ ଯାଇଥିଲେ । ବାଇକ୍ ଟି କଳା ପଲସର ହୋଇଥିବା ବେଳେ ନମ୍ବର ପ୍ଲେଟ୍ ରେ ମାଟି ବୋଳା ଯାଇଥିବାରୁ ଦୁବୃର୍ତ୍ତ ମାନଙ୍କର ପତା ମିଳିନାହିଁ । ଘଟଣା ସ୍ଥଳରେ ବ୍ୟାଗ୍ ଟିକୁ ଖୋଲିବା ପରେ ବ୍ୟାଗ୍ ଭିତରେ ଆନୁମାନିକ ୫ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇ ବ୍ୟାଗ୍ ନେଇ ବାହାଡାଝୋଲା ଫାଣ୍ଡି ଜିମା ଦେବାକୁ ବନ ବିଭାଗ ଯାଇଥିବା ବେଳେ ଫାଣ୍ଡି ରେ ଗଞ୍ଜେଇ ବ୍ୟାଗ୍ କୁ ନରଖି ଫେରାଇ ଦିଆ ଯାଇଥିଲା । ପରେ ଫରେଷ୍ଟର ଶ୍ରୀଯୁକ୍ତ ସ୍ବାଇଁ ଗଞ୍ଜେଇ ବ୍ୟାଗ୍ କୁ ଓଡ଼ଗାଁ ଆଦର୍ଶ ଥାନା ଜିମା ଦେଇଥିଲେ । ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଫରେଷ୍ଟର ଶ୍ରୀଯୁକ୍ତ ସ୍ବାଇଁ ଙ୍କ ପ୍ରଶଂସା କରିବା ସହ ଅଞ୍ଚଳରେ ବେଆଇନ ଭାବେ ହେଉଥିବା କାଠ, ଗଞ୍ଜେଇ, ମଦ, ଗୋରୁ ଚାଲାଣ ଉପରେ ମିଳିତ ଭାବେ ପେଟ୍ରୋଲିଂ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପୋଲିସ ଏବଂ ବନବିଭାଗ ର ମିଳିତ ପେଟ୍ରୋଲିଂ ଖବର ପ୍ରଚାର ହେବା ପରେ ବର୍ତ୍ତମାନ ଚୋରା ବ୍ୟବସାୟୀ ଭିତରେ ଆତଙ୍କ ସୃଷ୍ଟି ହୋଇଛି ।

