ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମନାକୁ ଆସିଲା ନବୀନଙ୍କ ନୂଆ ଟିମ , ବିଦା ହେଲେ ବିବାଦୀୟ ନେତା . ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ରେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି . ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ୪୫ମିନିଟରେ ଶପଥଗ୍ରହଣ ଅନୁଷ୍ଠିତ ହେବ । ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆସନ୍ତାକାଲି ମୋଟ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏଥିରେ ୧୩ ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ରହିବେ ବୋଲି ମିଳିଛି ସୂଚନା । ଆସନ୍ତାକାଲି ଶପଥ ନେବାକୁ ଥିବା ନୂଆ ମନ୍ତ୍ରିମଣ୍ଡଳ ରେ ୫ ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିବାକୁ ଥିବା ବେଳେ ସେଥିରେ ୩ ଜଣଙ୍କୁ କ୍ୟାବିନେଟ୍ ଓ ୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ । ୮ ଜଣ ମନ୍ତ୍ରୀ ନିଜର ପଦ ପୁଣିଥରେ ଫେରି ପାଇଛନ୍ତି ଓ ଅନ୍ୟ ୧୩ ଜଣ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ୭ ଜଣ ସମ୍ପୂର୍ଣ୍ଣ ନୂଆ ମୁହଁ ବୋଲି ଜଣାପଡ଼ିଛି । ତେବେ ମନ୍ତ୍ରିମଣ୍ଡଳରେ ବିବାଦୀୟ ଚେହେରା ଥିବା ନୟାଗଡ ବିଧାୟକ ଅରୁଣ ସାହୁ , ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ସମେତ ମୋଟ ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି ।