ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୯ ତାରିଖରେ ଚିଲିକାରେ ବୁଲିବ ହାଉସ ବୋଟ ଗରୁଡ଼। ମରାଳ ମାଳିନୀ ନିଳାମ୍ବୁ ଚିଲିକା ଜଳରାଶିରେ ନୌବିହାର ସାଙ୍ଗକୁ ମା କାଳିଜାଇ ଦର୍ଶନ ଏବଂ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ଦେଶ ବିଦେଶରୁ ବର୍ଷ ସାରା ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୌବିହାର ନିମିତ୍ତ ବାଲୁଗାଁ ଜେଟି, ବଡ଼କୁଳ ପାନ୍ଥନିବସ ଏବଂ ସ୍ଥାନୀୟ ମୋଟର ବୋଟ ଆସୋସିଏସନ ତରଫରୁ ଲଞ୍ଚ ସମେତ ଡଙ୍ଗା ଯୋଗାଇ ଦେଇଥାନ୍ତି । ଏଥି ସହିତ ଏବିସି ସ୍ପୋର୍ଟସ ନାମକ ଏକ ଘରୋଇ ସଂସ୍ଥା ଦୀର୍ଘ ଦିନ ଧରି ପେଡ଼ାଲ ବୋଟ ସାଙ୍ଗକୁ ସ୍ପୀଡ଼ ବାଇକ ସେବା ସୁଲଭ ଦରରେ ଯୋଗାଇ ଆସୁଛି । ମାତ୍ର ଅଦ୍ୟାବଧି ଚିଲିକାରେ କୌଣସି ଶୀତତାପ ନିୟନ୍ତ୍ରିତ ବୋଟ ଚାଲୁ ନଥିବା ବେଳେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ବିକାଶ ନାମକ ଏକ ଘରୋଇ ସଂସ୍ଥା ୬ କୋଠରୀ ବିଶିଷ୍ଟ ଏକ ଶୀତତାପ ନିୟନ୍ତ୍ରିତ ହାଉସ ବୋଟ ଚିଲିକା ଜଳରାଶିରେ ବୁଲାଇବା ପାଇଁ ସ୍ଥିର କରିଛି , ଯାହାର ନାମ ଗରୁଡ଼ ରଖାଯାଇଛି । ଏହି ହାଉସ ବୋଟ ଗରୁଡ଼କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଉଦଘାଟନ କରିବା ନେଇ ସିଡ଼ିଏ ମୁଖ୍ୟ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଉକ୍ତ ବୋଟରେ ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା ରହିଥିବା ସହ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ସୁଲଭ ମୂଲ୍ୟରେ ସମସ୍ତ ବ୍ୟବସ୍ଥା କରାଯିବା ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ବଡ଼କୁଳ ଓଟିଡିସି ପାଖରେ କୌଣସି ତଥ୍ୟ ନଥିବା ମ୍ୟାନେଜର ସବ୍ୟସାଚୀ କର କହିଛନ୍ତି ।