ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ସହିତ ମାତା ରୁକ୍ମିଣୀଙ୍କ ଶୁଭ ପରିଣୟ ନୀତିକାନ୍ତି ଚମ୍ପକ ଦ୍ଵାଦଶୀ ତିଥିରେ ଆଜି ଆନନ୍ଦ ଉଲ୍ଲାସର ସହିତ ଶେଷ ହୋଇଛି । ଦେବ ଦମ୍ପତିଙ୍କ ଗୁଆଲି ଯାତ୍ରା ସହିତ ଶିବ ଦର୍ଶନ ଶ୍ରୀ ଦକ୍ଷେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଶେଷରେ ବାଜା , ରୋଷଣି, ଆତସବାଜୀ, ଆଲଟଚାମର ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ସହ ନଗର ପରିକ୍ରମଣ ଓ ମନ୍ଦିର ପ୍ରତ୍ୟାବର୍ତ୍ତନ ଅତି ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି । ବାଣପୁରର ଏହି ପ୍ରାଚୀନ ପରମ୍ପରା ବହୁ ବର୍ଷ ଧରି ବନ୍ଦ ହୋଇଥିଲା , ଚଳିତ ବର୍ଷ ଏହି ଦେବ ବିବାହ ପରମ୍ପରା ପୁଣି ପ୍ରଭୁଙ୍କ ମନ୍ଦିରରେ ଆରମ୍ଭ ହୋଇ ଥିବାରୁ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । ଶ୍ରୀରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟି, ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଓ ବାଣପୁରର ଶ୍ରଦ୍ଧାଳୁ ଜନସାଧାରଣଙ୍କ ମିଳିତ ପରିଚାଳନାରେ ଅନୁଷ୍ଠିତ ଏହି ଦେବ ଉତ୍ସବ ଦର୍ଶନ କରିବା ପାଇଁ ବାଣପୁର ଅଞ୍ଚଳର ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା ।