ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ଵାରା ରଜ ମହୋତ୍ସବ ପାଳିତ ହୋଇ ଯାଇଛି । ନାରୀ ଓ ଧରିତ୍ରୀ ମାତାର ସମାନତା ଆମ ସାମାଜିକ ପରମ୍ପରାକୁ ଦୃଢ଼ୀଭୂତ କରିଥାଏ ଏହି ପର୍ବ । ରଜ ପର୍ବ କେବଳ ଉପକୂଳ ଓଡ଼ିଶାରେ ସୀମିତ ନ ରହି ସବୁ ଜିଲ୍ଲା ବାସୀ ରଜର ମହତ୍ତ୍ୱ ଅନୁଭବ କରି ପାରିବେ ଏହି ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଅନାଥଶ୍ରମର ଝିଅ ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ଯୁବତୀ ଓ ମହିଳା ମାନେ ଦୋଳିରେ ଝୁଲି ରଜ ଉତ୍ସବର ମଜା ଉଠାଇ ଥିଲେ । ରଜ ପାନ ସହ ବିଭିନ୍ନ ପିଠା ପଣା ବିତରଣ କରାଯିବା ସହ ନାଚ ଗୀତ ରେ ମସଗୁଲ ହୋଇଥିଲେ ଝିଅ ଓ ମହିଳା ମାନେ । ଏହି ଅବସରରେ ଝିଅ ମାନେ ଓଡିଶୀ ନୃତ୍ୟ ସହ ରଜ ସମ୍ପର୍କିତ ଗୀତ ନାଚ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା, ଓଏସଡି କିରଣ କୁମାର ମହାନ୍ତି, ପାରଳା ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲା ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ସୀସା, ସଙ୍ଗୀତ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର କଲ୍ୟାଣି ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ନରସିଂହ ବାଜୁବନ୍ଧ,ପ୍ରଦୀପ ରଥ ପ୍ରମୁଖ ସହଯୋଗ କରିଥିଲେ । ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଯୁବତୀ ଓ ମହିଳା ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।
ଗଜପତି ରେ ଜିଲ୍ଲା ସ୍ତରୀୟ ରଜ ମହୋତ୍ସବ !!!

