ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଭଗବାନ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତ ଆଉ କାହା ଉପରେ ଦାରୁଣ ଦୁଃଖ ଲଦି ଦେଉଛନ୍ତି . ସେ ମୁଠେ ଖାଇବାକୁ ପାଉନି, ଏ ସୃଷ୍ଟି ରେ ଏକି ବିଡମ୍ବନା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାହାକୁ ଦେଖିଲେ ବୁଝି ହୋଇ ଯାଉଛି ସରକାର ଙ୍କ ଯୋଜନାର ବାସ୍ତବିକ ଚିତ୍ର । ଏ କେଉଁ ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦୃଶ୍ୟ ନୁହେଁ , ଖୋଦ୍ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଗ୍ରାମ କେଶବ ଚନ୍ଦ୍ର ମଳିକ ଙ୍କ ପରିବାର ଯିଏ କି ଦୁର୍ଦ୍ଦିନରେ କାଟୁଛନ୍ତି ଜୀବନ।

ନାଁ ଅଛି ପେଟ ପୁରା ଖାଇବାକୁ ଗଣ୍ଡେ ଦାନା, ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର । ନାଁ ଅଛି ରୋଗ ପାଇଁ ଔଷଧ ଖାଇବାକୁ ଅର୍ଥ । ଆମେ କହୁନୁ ଅତିରଞ୍ଜିତ କଥା , ଯାହା ବାସ୍ତବରେ ଦେଖିଲୁ ଆମ ଆଖିରେ ଲୁହ ରହିଲା ନାହିଁ । କେଶବ ମଳିକ ଜଣେ ଦିନ ମଜୁରୀଆ , ଯେ କି ଦୀର୍ଘ ଦୁଇ ବର୍ଷ ତଳେ ଘର ଛାଉଣୀ କରୁଥିବା ବେଳେ ତଳକୁ ପଡିଯିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ସେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ମହାମାରୀ କରୋନା ପାଇଁ ଚିକିତ୍ସା ଅବହେଳା ରୁ ତାଙ୍କର ଗୋଡ଼ ଠିକ୍ ହୋଇ ନଥିଲା । ଯାହା ଫଳରେ ସେ କାମଧନ୍ଦା କରିବାରେ ଅକ୍ଷମ ହୋଇ ପଡିଛନ୍ତି । ପରିବାର ପ୍ରତିପୋଷଣରେ କରିବା ତାଙ୍କ ପ୍ରତି ଅସମ୍ଭବ ହୋଇ ପଡିଛି । କେଶବଙ୍କ ପତ୍ନୀ ସତିଆ ମଳିକ , ସ୍ଵାମୀ ଏଭଳି ଅକ୍ଷମ ଅବସ୍ଥାରେ କିଭଳି ପରିବାର ପ୍ରତିପୋଷଣରେ କରିବେ ସେ ଚିନ୍ତା କରି ସେ ନିଜେ ରୋଗି ପାଲିଟି ଗଲେଣି । କେଶବ ଙ୍କ ପତ୍ନୀ ମଧୁମୟ ରୋଗରେ ଆକ୍ରାନ୍ତ ହୋଇଥିବା ଫଳରେ ଔଷଧ ଖାଇବାକୁ ଅର୍ଥ ନଥିବାରୁ ସେ ରୋଗାକ୍ରାନ୍ତ ହୋଇ ଘରେ ପଡିଛନ୍ତି ।କେଶବଙ୍କ ଦୁଇ ଝିଅ ଜଣେ ସବିତା ମଳିକ ଯିଏକି ଅର୍ଥ ଅଭାବରୁ ଦୁଇ ବର୍ଷ ହେବ ନିଜର ପାଠପଢ଼ା ବନ୍ଦ କରି ଦେଇଛନ୍ତି । ସାନଝିଅ ରଶ୍ମିତା ମଳିକ ଯିଏ ଅତି ଦୁଃଖ କଷ୍ଟରେ ଦଶମ ଶ୍ରେଣୀରେ ପଢୁଛନ୍ତି । କେବଳ ସରକାରଙ୍କ ପକ୍ଷରୁ ଯେତିକି ରାସନ୍ ସାମଗ୍ରୀ ମିଳୁଛି ତାହା ସମୁଦ୍ର କୁ ଶଙ୍ଖେ । ଦୁଇ ଝିଅ ପଡ଼ିଶା ଘରୁ ମାଗି ଯାଚି ଆଣି ରୋଷେଇ କରନ୍ତି . ଗୋଟିଏ ଓଳି ଖାଇଲେ ଆର ଓଳି ଉପାସ । କେଶବ ମଳିକ ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି । ସରକାର ଗରିବ ଲୋକଙ୍କ ପାଇଁ ପୁଳାପୁଳା ଯୋଜନା କରୁଥିବା ର ଡିଣ୍ଡିମ ପିଟୁଥିବା ବେଳେ ଏ ଦୃଶ୍ୟ ବୟାନ କରୁଛି ସରକାର ଙ୍କ ଗରିବ କଲ୍ୟାଣ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି । ବାକି ରହିଲା ଦେଖିବାର ପ୍ରଶାସନ କେବେ ଗରିବ ଅବହେଳିତ କେଶବ ଙ୍କ ପରିବାର ପ୍ରତି ଦୃଷ୍ଟି ଦେଉଛନ୍ତି ।

