ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଶତାଧିକ ଆଦିବାସୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ଆଞ୍ଚଳିକ କମିଟି ପକ୍ଷରୁ ଗତକାଲି ମଧ୍ୟାହ୍ନରେ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ହେଲା କି, ଗତ କିଛି ମାସ ହେଲା ଉକ୍ତ ଦୁଇ ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଉପରେ ବରବରା ଫରେଷ୍ଟ ବିଟର ବନ କର୍ମଚାରୀ ମାନେ ଜୋର ଜୁଲମ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଲଙ୍ଗଳ, ଜୁଆଳି, କାତି, କୁରାଢ଼ୀ ଏବଂ ମୋବାଇଲ ଆଦି ଛଡାଇ ନେଇ ଯାଉଛନ୍ତି ଏବଂ ଏହାର ପ୍ରତିବାଦ କଲେ ବନ କର୍ମଚାରୀ ମାନେ ଗିରଫର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ବାସି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ହେଲା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପୁର୍ବରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ କରିବା ଏବଂ ପଡ଼ା ଗ୍ରାମ ଗୁଡିକୁ ଅବିଳମ୍ବେ ରାଜସ୍ୱ ଗ୍ରାମ ଘୋଷଣା କରିବା । ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି ବନ କର୍ମଚାରୀଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ତାହା ପ୍ରମାଣିତ ହୁଏ ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନୁରୂପ ଭାବେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଇ ପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।

Leave a Reply

Your email address will not be published. Required fields are marked *