କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ଶ୍ରୀରାମରେ ବନ ମହୋତ୍ସବ ସପ୍ତାହ ଓ ନବ ଦିନ ବ୍ୟାପୀ ପବିତ୍ର ରଥଯାତ୍ରା ପାଳନ ସପ୍ତାହ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ୩୦ ବର୍ଷ ଧରି ଅବ୍ୟାହତ ରଖିଥିବା ଜଙ୍ଗଲ ସୃଷ୍ଟି ଅଭିଯାନରେ ଚଳିତ ବର୍ଷ ଏକ ହଜାର ସଂଖ୍ୟା ବିଶିଷ୍ଟ ପୁଣି ଏକ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତି କରିଛନ୍ତି । ଏହି ଅବସରରେ ପ୍ରକୃତି ବନ୍ଧୁଙ୍କର ଏହି ଅଭିଯାନକୁ ଉତ୍ସାହିତ କରିବା ପାଇଁ ” ସମର୍ପିତ କଟକ ପରିବାର ” ଅଧିକାରୀ ଦୂର୍ଗା ଚରଣ ପ୍ରଧାନଙ୍କ ନେତୃତ୍ୱରେ ସାମାଜିକ ନ୍ୟାୟ କର୍ମୀ ତଥା ପରିବେଶବିତ ବସନ୍ତ କୁମାର ପଣ୍ଡା ପ୍ରାଥମିକ ବୃକ୍ଷ ରୋପଣ ସ୍ୱରୂପ ତୁଳସୀ ବୃକ୍ଷ ଓ କଦଳୀ ବୃକ୍ଷ ପକାଇ ଏହି ବିଶ୍ଵ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମର୍ପିତ କଟକ ପରିବାର ମହନ୍ତ ଭଗବତୀ ପ୍ରସାଦ ପତି, ଚନ୍ଦନ ପଣ୍ଡା, ରିଙ୍କୁନ ଦିକ୍ଷୀତ, ଚିତ୍ତରଞ୍ଜନ ପଣ୍ଡା, କୁନୁରି ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ମହାନ୍ତି , ହେମନ୍ତ ଖଟୁଆ ଓ ସନ୍ତୁଆ ଆଚାର୍ଯ୍ୟ ପ୍ରଭୁତି ଉପସ୍ଥିତ ଥିଲେ । ବୃକ୍ଷ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଫଳରେ ବିଶ୍ଵ ତାପମାତ୍ରା ବଢି ଚାଲିବା ଓ ଅମ୍ଳଜାନ ଅଭାବ ଦିନକୁ ଦିନ ମଣିଷ ସମାଜ ପାଇଁ ମହା ବିପଦ ସୃଷ୍ଟି କରି ଚାଲିଛି । ଏଣୁ ଆଗାମୀ ଦିନରେ ବୃକ୍ଷରୋପଣ ଓ ସଂରକ୍ଷଣ ପାଇଁ ରାଜ୍ୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ କରାଯିବ ବୋଲି ସମର୍ପିତ କଟକ ପରିବାର ଅଧିକାରୀ ଓ ମହନ୍ତ ପ୍ରକାଶ କରିଛନ୍ତି ।