ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ଏସି ଅନ୍ତର୍ଗତ ୧ ନଂ ୱାର୍ଡର ସୂର୍ଯ୍ୟନଗର ଅଞ୍ଚଳରେ ଅଛି ଏକ ଦିବ୍ୟାଙ୍ଗ ପରିବାର । ବାଲୁଗାଁ ଏନ୍ଏସି ୧ ନଂ ୱାର୍ଡରେ ଦୀର୍ଘ ଦିନ ଧରି ଏକ ଦିବ୍ୟାଙ୍ଗ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ ମଧ୍ୟ ସରକାରୀ ସହାୟତା ସାତ ସପନ ପାଲଟିଛି । ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମର ସୂର୍ଯ୍ୟମଣୀ ପଣ୍ଡା ୨୧ ବର୍ଷ ତଳେ ନିଜ ଦିବ୍ୟାଙ୍ଗ ଝିଅ ମାମିକୁ ବହୁ ଆର୍ଥିକ ଅନଟନରେ ବାଲୁଗାଁ ଅଞ୍ଚଳର ନାରାୟଣ ନନ୍ଦ ଙ୍କ ସହ ବିବାହ ଦେଇଥିଲେ । ସ୍ଵାମୀଙ୍କ ସହ କିଛିଦିନ ସୁଖରେ ସଂସାର କରିବା ପରେ ମାମି ଙ୍କ ଦୁଇଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ ଯାହାକି ବଡ ଝିଅ ବର୍ଷା ଜନ୍ମରୁ ଦିବ୍ୟାଙ୍ଗ ଥିଲେ । ପରିବାର ବୋଝ ଏବଂ ଝିଅ ଦିବ୍ୟାଙ୍ଗ ହୋଇଥିବାରୁ ଦୀର୍ଘ ୮ ବର୍ଷ ହେବ ପରିବାର ଛାଡ଼ି ମାମିଙ୍କ ସ୍ବାମୀ ନାରାୟଣ କେଉଁ ଆଡେ ପଳାଇ ଯାଇଛନ୍ତି। ଏଭଳି ପରିସ୍ଥିତିରେ ମାମି ଏବଂ ତାଙ୍କର ଦୁଇ ଝିଅ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଥିବା ବେଳେ ସେମାନଙ୍କ ଭରଣ ପୋଷଣ ଦାୟୀତ୍ବ ତୁଲାଉଛନ୍ତି ସୂର୍ଯ୍ୟମଣି । ୭୦ ବର୍ଷ ପାର କରିଥିବା ସୂର୍ଯ୍ୟମଣି ସ୍ଥାନୀୟ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ସମ୍ପୁକ୍ତ ଦିବ୍ୟାଙ୍ଗ ପରିବାର ପକ୍ଷରୁ ବାଲୁଗାଁ ଏନ୍ ଏସି କତୃପକ୍ଷଙ୍କୁ ଲିଖିତ ଅବଗତ କରାଇଥିଲେ। ପୂର୍ବରୁ ରାସନ୍ କାର୍ଡ ଥିଲେ ସୁଦ୍ଧା ଦିବ୍ୟାଙ୍ଗଙ୍କ ଆଧାର କାର୍ଡ ନଥିବାରୁ ରାସନ୍ ସାମଗ୍ରୀ ପାଇବାରୁ ସେମାନେ ବଞ୍ଚିତ ଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଦିବ୍ୟାଙ୍ଗ ପରିବାରକୁ ଅନ୍ତଦୋୟ କାର୍ଡ ମାଧ୍ୟମରେ ସରକାରୀ ରାସନ୍ ଦିଆଯାଇଥିଲା । ଏପରିକି ବଡ଼ ଝିଅ ଦିବ୍ୟାଙ୍ଗ ବର୍ଷା ନିଜେ ପାଠ ପଢି ସାମ୍ବଲମ୍ବି ହେବା ସହ ପରିବାର ପତିପୋଷଣ କରିବା ନେଇ ଉକ୍ତଣ୍ଠା ରହିଥିଲେ ମଧ୍ୟ ଅର୍ଥ ପାଇଁ ତାହା ସମ୍ଭବ ହୋଇ ପାରୁନାହିଁ । ଏପରିସ୍ଥଳେ କୈାଣସି ସହୃଦୟ ବ୍ୟକ୍ତି ସରକାରୀ କିମ୍ବା ବେସରକାରି ସଂସ୍ଥା ପକ୍ଷରୁ ସହାୟତା ମିଳିଲେ ନିଶ୍ଚୟ ସ୍ଵପ୍ନ ସାକାର ହେବ ବୋଲି ବର୍ଷା କହିଛନ୍ତି ।