ମୃତ୍ୟୁ ସହ ସଂଗ୍ରାମ କରୁଛି ବାଣପୁର ଅନ୍ତର କିୟାରୀ ଗ୍ରାମର କୁନି ପୁଅ ସମ୍ବ୍ରିତ : ସହାୟତା ପାଇଁ ପିତା ମାତାଙ୍କ ଆକୁଳ ନିବେଦନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୃତ୍ୟୁ ସହ ସଂଗ୍ରାମ କରୁଛି ବାଣପୁର ର କୁନି ପୁଅ ସମ୍ବ୍ରିତ ବିଶ୍ଵାଳ , ବୟସ ମାତ୍ର ୫ ବର୍ଷ । ଆଖିରେ ଆଖିଏ ସ୍ୱପ୍ନ । ପାଠ ପଢିବି ବଡ଼ ହେଲେ ଡାକ୍ତର ହେବି । ହେଲେ ପିଲାଟି ଦୁନିଆ ଦେଖିବା ଆଗରୁ ପୁଅଟି ଉପରେ ଦାଉ ସାଧିଲା ଦଇବ । ଦୁନିଆ ବିଷୟରେ କୁନି ପୁଅ ଟି କିଛି ଜାଣିବା ଆଗରୁ ତା ଉପରେ ମାଡି ବସିଲା ଏକ ବିରଳ ରୋଗ । ଡାକ୍ତରଙ୍କ ସୂଚନା ଅନୁସାରେ ପୁଅଟିର ମଳଦ୍ବାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି , ଏବେ ପେଟ ପଟେ ମଳ ନିଷ୍କାସନ କରାଯାଉଛି । ଚିକିତ୍ସା ପାଇଁ ଏବେ ଲକ୍ଷାଧିକ ଟଙ୍କା ଦରକାର । ଅତି ଗରିବ ପରିବାରର ପୁଅ ହୋଇଥିବାରୁ ଚିକିତ୍ସା ପାଇଁ ପୁଅଟିର ପିତା, ମାତାଙ୍କ ପାଖେ ଲକ୍ଷେ କଣ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ଏବେ ଆଉ ସମ୍ଭବ ନୁହେଁ । କିଛିଦିନ ତଳେ ପିତା ସାଗର ବିଶ୍ଵାଳ ପରିବାର ପ୍ରତି ପୋଷଣ ସ୍ତ୍ରୀ ଦୁଇଟି ଛୁଆଙ୍କୁ ଧରି ବାଧ୍ୟହୋଇ ଘର ଛାଡି ସୁଦୂର ସୁରାଟ ରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ । ଏବେ ପରିସ୍ଥିତି ଏପରି ହେଇଗଲାଣି ଯେ ପୁଅର ଚିକିତ୍ସା ପାଇଁ ପିତା, ମାତା ଧାର କରଜ କରି ଘର ଦ୍ବାର ବିକି ଏବେ ଅସହାୟ ହୋଇ ପଡିଲେଣି । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ତର କିୟାରୀ ଗ୍ରାମର କୁନି ପୁଅ ସମ୍ବ୍ରିତ ବିଶ୍ଵାଳଙ୍କ କଥା ।

ସମ୍ବ୍ରିତ ବିଶ୍ଵାଳ, ବୟସ ମାତ୍ର ପାଞ୍ଚ ବର୍ଷ । ବାପା ସାଗର ବିଶ୍ଵାଳ ସୁରାଟରେ କାମ କରନ୍ତି , ମାତା ପୁଷ୍ପା ବିଶ୍ଵାଳ । ପରିବାର କହିବାକୁ ଗଲେ ଗୋଟେ ଭଉଣୀ, ମା’ ଏବଂ ବାପା । ଗତକିଛି ମାସ ତଳେ ପିତା ସାଗର ବିଶ୍ଵାଳ ସ୍ତ୍ରୀ ଓ ତାଙ୍କ ପୁଅ ଝିଅଙ୍କୁ ଧରି ସୁରାଟ ପଳେଇଲେ ସେଠାରେ କିଛଦିନ ରହିଲା ପରେ କୁନି ପୁଅ ସମ୍ବ୍ରିତ ର ରକ୍ତ ଝାଡ଼ା ହେବାରେ ଲାଗିଲା , ବାପା ମାଆ ଚିକିତ୍ସା କରାଇବାରୁ ଜଣା ପଡ଼ିଲା ଯେ, ପୁଅଟିର ମଳଦ୍ବାର ନଷ୍ଟ ହୋଇ ଯାଇଛି । ଏହା ଜାଣି ବାପା ମା’ ଙ୍କ ମୁଣ୍ଡରେ ଚଡକ ପଡିଗଲା । କିପରି ପିଲାଟିକୁ ବଞ୍ଚାଇବେ କିଛି ବୁଦ୍ଧି ବାଟ ଦିଶିଲା ନାହିଁ । ସୁରାଟ ର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିଲେ କିନ୍ତୁ ଏବେ ସେଠାରେ ଡାକ୍ତର କହିଲେ ଆମ ପାଖରେ ଆଉ ସମ୍ଭବ ନାହିଁ ଯଥା ଶୀଘ୍ର ଅହମଦାବାଦ୍ କିମ୍ବା ବମ୍ୱେ ନେଇ ଚିକିତ୍ସା କରାନ୍ତୁ , କିନ୍ତୁ ଏବେ ପିତା ମାତାଙ୍କ ଆର୍ଥିକ ପରିସ୍ଥିତି ବହୁତ ଖରାପ ହୋଇଥିବାରୁ ପୁଅକୁ ଆଣି ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ଚିନ୍ତା କଲେ . କାଳେ ନିଜ ଅଞ୍ଚଳରେ କିଛି ସହାୟତା ମିଳିପାରିବ , ଚିକିତ୍ସା ହୋଇ ପାରିବ ଯାହା ଫଳରେ କୁନି ପୁଅଟି ବଞ୍ଚି ପାରିବ।

ଏବେ କୁନି ପୁଅଟିର ଡ଼ାଇଲିସିସ ଚାଲିଥିବା ବେଳେ ବାପା ମାଆଙ୍କ ପାଖେ ସେହି ପରିମାଣରେ ଅର୍ଥ ଆଉ ନାହିଁ । ସୁରାଟ ରେ ସୂତା କଳରେ ଦିନ ମଜୁରିଆ ଭାବେ କାମ କରି ମାସକୁ ଅତି ବେଶୀରେ ୨୦ ହଜାର କମାଉଥିବା ବାପ ଟି ପୁଅଟିର ଚିକିତ୍ସା ପାଇଁ ଏବେ ଲକ୍ଷ ଲକ୍ଷ କୁଆଡୁ ଆଣିବ କହି ପାଗଳଙ୍କ ପରି କାନ୍ଦୁଥୁବାର ଦେଖା ଯାଇଛି । କୋହ ବିକଳରେ ବାଣପୁର ରେ ରହୁଥିବା ସମ୍ବ୍ରିତ ଙ୍କ ଜେଜେ ମାଆ ଗଣମାଧ୍ୟମ ଜରିଆରେ ତାଙ୍କ ନାତିକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ସମ୍ବ୍ରିତ ଙ୍କ ପିତା ମାତା ଫୋନ୍ କରି ଗଣମାଧ୍ୟମ ଜରିଆରେ ଚିକିତ୍ସା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *