ବେଆଇନ ମୋରମ ଖଣିରେ ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ : ୭ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବେଆଇନ ପଥର ଖଣି ଉପରେ ଚଢ଼ାଉ ଜାରି ରହିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରେ ଏହା ଆହୁରି ଜୋରଦାର ହୋଇଛି । ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପାଇଁ ବେଶ ଜଣାଶୁଣା ଥିବା ବେଳେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଆଇଆଇସି ଶ୍ରୀ ବିଶ୍ୱାଳ ବେଆଇନ ଖଣି ଉପରେ ଅତର୍କିତ ଚଢ଼ାଉ ଜାରି ରଖିଥିବା ବେଳେ ଗତକାଲି ଏକ ବଡ ଧରଣର ଚଢ଼ାଉ କରି ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

ସୂଚନା ମୁତାବକ ଜିଲ୍ଲା ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ସିପି ଅରୋରା ନାମକ ଏକ ସଂସ୍ଥା ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିଲା । ଖବର ପାଇବା ପରେ ଟାଙ୍ଗୀ ପୋଲିସ୍ ସଦଳବଳେ ଚଣ୍ଡେଶ୍ୱରରେ ଥିବା ବେଆଇନ ମୋରମ ଖଣିରେ ଚଢାଉ କରିଥିଲା । ପୋଲିସ୍ ଖଣିରେ ଚଢାଉ କରି ୬ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ( ମାଟି ଖୋଳା ମେସିନ୍) ଜବତ କରିଛି ଏବଂ ୭ ଜଣ ଗାଡି ଚାଳକଙ୍କୁ ଗିରଫ କରିଛି । ଗିରଫ ଗାଡି ଚାଳକ ମାନେ ହେଲେ ଝାଡଖଣ୍ଡ ରାଜ୍ୟ କୋଦରମା ଜିଲ୍ଲାର ବିକାଶ କୁମାର ଯାଦବ (୨୫), ରଘୁବୀର ଯାଦବ (୨୭), ନରେଶ କୁମାର ସିଂ (୨୩), ବିହାର ରାଜ୍ୟ ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ (୨୮), ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ରା ଅଞ୍ଚଳର ଅରବିନ୍ଦ (୨୬), ରାମ ପତି (୩୧) ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଶେଷଦେବ ନାୟକ (୨୮) । ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ୩୯୪ / ୨୨ ରେ ଏକ ମାମଲା ରୁଜୁ କରି ସମସ୍ତ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି l ଜବତ ଗାଡି ଗୁଡିକ ୧୬ ନଂ ଜାତୀୟ ରାଜପଥ ନିର୍ମାଣରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଠିକା କାମ କରୁଥିବା ସଂସ୍ଥା ସିପି ଆରୋରା ର ବୋଲି ଜଣା ପଡିଛି । ଅଭିଯୋଗ ମୁତାବକ ବେଆଇନ ଭାବେ ଶହ ଶହ ଟ୍ରକ ମୁଲ୍ୟବାନ ମୋରମ ଚୋରାଇ ନେଉଥିଲା ସି ପି ଆରୋରା ସଂସ୍ଥା । ଫଳରେ ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଥିଲା । ତେବେ ଆଇଆଇସି ଙ୍କ ଏପରି କାର୍ଯ୍ୟାନୁଷ୍ଠାନରେ ଖଣି ମାଫିଆଙ୍କ ମନରେ ଛନକା ପଶିଯାଇଛି ।

Leave a Reply

Your email address will not be published. Required fields are marked *