ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ , ୨୦ ହଜାର ଜରିମାନା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ଥାନା ଅଞ୍ଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁ୍କ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇବା ସହିତ ୨୦ ହଜାର ଟଙ୍କାର ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଦୋଷୀକୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ଜିତେନ୍ଦ୍ର କୁମାର ଦିଗାଲ (୪୬) । ପ୍ରକାଶ ଯେ, ଗତ ୨୦୧୯ ଏପ୍ରିଲ ୪ ତାରିଖ ଦିନ ଜନୈକା ନାବାଳିକା ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ନାବାଳିକାକୁ ରୁଟି ଖାଇବା ପାଇଁ ଦେଇଥିଲା । ଏହା ଖାଇବା ପରେ ପିଡିତା ନାବାଳିକା ମୁଣ୍ଡ ବୁଲାଇ ହେବାରୁ ସେ ଶୋଇ ପଡିଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ନାବାଳିକାକୁ ଗାଁ ପାଖ ଶ୍ମଶାନକୁ ନେଇ ସେଠାରେ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇ ଯାଇଥିଲା । ଘର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ମଶାଣିରୁ ତାକୁ ଉଦ୍ଧାର କରିଥିଲେ । ଏ ନେଇ ପିଡିତା ଙ୍କ ବଡଭାଇ ଜି.ଉଦୟଗିରି ଥାନାରେ ଏତଲା ଦେବାରେ ପୁଲିସ କେସ ନଂ.୫୨/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲା ଜଜ୍ ସଂଜିତ କୁମାର ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିିପି ଅସୀମ କୁମାର ପ୍ରହରାଜ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *