ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଟ୍ରକ୍ ପାର୍କିଂ ୟାର୍ଡରେ ୨ ଯୁବକ ପିଟାପିଟି , ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । କାଳିଆପାଣି ଥାନା ଅନ୍ତର୍ଗତ ଓଡ଼ିଶା ଖଣି ନିଗମ ( ଓଏମ୍ସି ) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ସମୁଖ ଟ୍ରକ୍ ପାର୍କିଂୟାର୍ଡରେ ବୁଧବାର ସଂଧ୍ୟା ଜଣେ ଅଣ ଓଡ଼ିଆ ଡ୍ରାଇଭର ଓ ଅନ୍ୟ ଜଣେ ସ୍ଥାନୀୟ ଯୁବକ ମଧ୍ୟରେ ଗଣ୍ଡଗୋଳ ଓ ପିଟାପିଟି ହୋଇ ଉଭୟ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ପିସିଆର୍ ଭ୍ୟାନରେ ରାତି 9 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଦେଖିବାକୁ ମିଳିଛି । ମେଡିକାଲ୍ରେ ଚିକିତ୍ସାଧୀନ ଥିବା ଯୁବକ ଦ୍ବୟ ହେଲେ କାଳିଆପାଣି ପୋଡାହଟିଂର ପୁଅ ମଧୁ ମହାକୁଡ ଓ କଲିକତା ନଦିଆ ରାଣୀଘାଟ ଇଲାକାର 39 ବର୍ଷିୟ ମେଘନାଥ ରାୟ । କ୍ରୋମାଇଟ୍ ଲୋଡ୍ ଆଶାରେ ଟ୍ରକ୍ ଧରି କାଳିଆପାଣିରେ ୫ ଦିନ ଧରି ଡେରା ପକାଇଥିବା ମେଘନାଥ, ତାଙ୍କର ଜଣେ ସହଯୋଗୀ ଓ ମଧୁ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଉଭୟ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ । ଦୁହିଁଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମେଘନାଥ ଓ ତାଙ୍କ ସହଯୋଗୀ ମିଶି ମଧୁଙ୍କୁ ଏକ ନାଳରେ ଟେକି ପକାଇ ଦେଇଥିବା ଅଭିଯୋଗ ହୋଇଛି । ଗଣ୍ଡଗୋଳ ପରେ ସହଯୋଗୀ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ତେବେ ପ୍ରାଥମିକ ଚିକିତ୍ସା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାଳିଆପାଣି ପୋଲିସ ପକ୍ଷରୁ ସୂଚନା ମିଳିଛି ।
କାଳିଆପାଣି ଟ୍ରକ୍ ପାର୍କିଂ ୟାର୍ଡରେ ୨ ଯୁବକ ପିଟାପିଟି !!!

