ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରକ୍ଷା ବନ୍ଧନରେ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର । ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ । ବିଳମ୍ବ ନକରି ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ ପାଇଁ ଯାଇଥିଲେ । ରାତି ତମାମ ଅପରେସନ ଜାରି ରହିଥିବା ବେଳେ ପରିଶେଷରେ ସଫଳ ହୋଇଥିଲା ପୋଲିସ । ପୋଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । କିନ୍ତୁ ଏସଡିପିଓ ଉକ୍ତ କାରବାରର କିଙ୍ଗପିନକୁ ଧରିବାରେ ସଫଳ ହୋଇଥିଲେ ।

ତେବେ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଉଦ୍ଧାର କରାଯାଇଛି, ଯାହା ଫଳରେ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ପୋଲିସ । ରାତି ତମାମ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁ ମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟୁଛି । ତେବେ ଏତେ ପରିମାଣର ଗୋରୁ ଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୋଲିସ । ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ପୋଲିସ ଉଦ୍ଧାର କରୁଥିବା ଗୋରୁଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ, ଯାହା ଫଳରେ ପୋଲିସକୁ ଉଦ୍ଧାର ଗୋରୁଙ୍କ ଥଇଥାନ ପାଇଁ ନାକେଦମ ହେବାକୁ ପଡୁଛି ।

