ଜାତୀୟ ପତାକାକୁ ଅସମ୍ମାନ କଲେ ପୁଲିସ ନେବ କାର୍ଯ୍ୟାନୁଷ୍ଠାନ : ବାଲୁଗାଁ ଏସଡିପିଓ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ପତାକାକୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସାଧାରଣ ଲୋକଙ୍କୁ ଏପରି ସନ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାର ବହୁଳ ବ୍ୟବହାର ହେଉଥିବାର ଦେଖାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । ତେବେ ଜାତୀୟ ପତାକାର ବହୁଳ ବ୍ୟବହାର ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । କିନ୍ତୁ ଏହି ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ଅରୁଚିକର ଦୃଶ୍ୟ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ରାଲି ପରବର୍ତ୍ତୀ ସମୟରେ ହେଉ କିମ୍ବା ଘର ସମୁଖରେ ହେଉ ଜାତୀୟ ପତାକା ତଳେ ପଡିଥିବାର ଦେଖିବାକୁ ମିଳୁଛି । ଯାହାକି ଆମର ଦେଶ ପ୍ରତି ଅପମାନ । ଜାତୀୟ ପତାକାର ଅସମ୍ମାନ ଅର୍ଥ ଆମ ଦେଶର ସମ୍ବିଧାନକୁ ଅସମ୍ମାନ । ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଲୁଗାଁ ପୋଲିସ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନାଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ସେମାନେ ନିଜ ଥାନା ଷ୍ଟାଫ୍ ଓ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ସୋସାଲ ମିଡ଼ିଆ ଗୃପରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ଖବର ମିଳିବା କ୍ଷଣି ତ୍ଵରିତ ପଦକ୍ଷେପ ନେବାପାଇଁ କୁହାଯାଇଛି । ଥାନାଧିକାରୀମାନେ ଆଗ୍ରହୀ ବିଦ୍ୟାଳୟ ଓ ସ୍ଵେଚ୍ଛାସେବୀ ମାନଙ୍କସହ ମିଶି ଉକ୍ତ ସଚେତନତା ଦିଗରେ ପ୍ରଚାର ପ୍ରସାର କରିବେ । ଆବଶ୍ୟକ ସ୍ଥଳେ ଘଟଣା ସ୍ଥାନକୁ ଯାଇ ଜାତୀୟ ପତାକାକୁ ଉଦ୍ଧାର କରିବା ସହିତ ଖିଲାପକାରୀ ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନୁରୂପ ଭାବେ ଜାତୀୟ ପତାକା ଅସମ୍ମାନ ଜନିତ କୌଣସି ସୂଚନା, ଫଟୋ କିମ୍ବା ଭିଡିଓ ପଠାଇବା ଅବା ଫୋନ କରି ଜଣାଇବା ପାଇଁ ଏସଡ଼ିପିଓ ଶ୍ରୀ ବାରିକ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ୯୦୭୮-୯୩୪-୯୩୪ ଜନସାଧାରଣଙ୍କ ନିମନ୍ତେ ଜାରି କରିଛନ୍ତି । ସୂଚନା ଦାତାମାନେ ଏସଡିପିଓଙ୍କ ବ୍ୟକ୍ତିଗତ ନମ୍ବର କିମ୍ବା ସ୍ଥାନୀୟ ଥାନାଧିକାରୀଙ୍କ ନମ୍ବରକୁ ଯୋଗାଯୋଗ କରିପାରିବେ । ଜାତୀୟ ପତାକାର ସମ୍ମାନ ଆମର ମୌଳିକ କର୍ତ୍ତବ୍ୟ, ଆଉ ଏହାର ଅସମ୍ମାନ ଆମ ସମସ୍ତଙ୍କର ଅସମ୍ମାନ ବୋଲି ଏସଡିପିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *