କନ୍ଧମାଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ : ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗତ ତିନି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ଯୋଗୁଁ ସମଗ୍ର ଇଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଛୋଟ ବଡ଼ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇଥିବା ଯୋଗୁଁ ଏହାର ପ୍ରଭାବରେ ଜିଲ୍ଲାର ଫିରିଙ୍ଗିଆ, ଚକାପାଦ, ଖଜୁରିପଡ଼ା, କୋଟଗଡ଼଼, କ.ନୂଆଗାଁ ବ୍ଲକର ଏକାଧିକ ପଞ୍ଚାୟତ ଏବେ ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡ଼ିଛି । ସେହିଭଳି ଖୋଦ୍‍ ଫୁଲବାଣୀ ପୌର ପରିଷଦର ୨ ନମ୍ବର ୱାର୍ଡ଼ ମଧ୍ୟ ବିଛିନ୍ନ ହୋଇ ପଡ଼ିଛି । ନଦୀଖଣ୍ଡି ସାହିରେ ଥିବା ଡ଼୍ୟାମରେ ଜଳସ୍ତର ବୃଦ୍ଧି ଯୋଗୁଁ ୨ ନମ୍ବର ୱାର୍ଡ଼ର ଅଧିବାସୀ ମାନେ ବିଛିନ୍ନ ହୋଇ ପଡ଼ିଥିବା ବେଳେ ଜରୁରୀ ପରିସ୍ଥିତିରେ ସେମାନେ ଅନ୍ୟ ଏକ ରାସ୍ତାଦେଇ ଏବେ ଯାତାୟତ କରୁଥିବାର ଦେଖାଯାଇଛି । ବର୍ଷାର ପ୍ରଭାବରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସାହିର ଘର ମାନଙ୍କରେ ପାଣି ପଶି ଯାଇଥିବାର ମଧ୍ୟ ଖବର ମିଳିଛି ।

ବର୍ଷାର ପ୍ରଭାବରେ ଫୁଲବାଣୀ ବଜାର ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାର ଦେଖାଯାଇଛି । ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁଁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପରସାହି ପଞ୍ଚାୟତର ୫ ଟି ଗ୍ରାମ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି । ବାଘ ନଦୀରେ ଥିବା ଏକ କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପରିସ୍ଥିତି ଏପରି ହୋଇଛି । ସେହିଭଳି କ୍ରାଣ୍ଡିବାଲି ପଞ୍ଚାୟତର ୧୦ ନମ୍ବର ୱାର୍ଡ଼ର ୩୫ ଟି ପରିବାର ଏକ ଜଳବନ୍ଦୀ ରେ ଜୀବନ ବିତାଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ପ୍ରକାରେ ସକାଳ ୮ ଟା ସୁଦ୍ଧା ବାଲିଗୁଡ଼ା ବ୍ଲକରେ ୬୪ ମିମି ବର୍ଷା ହୋଇଥିବା ବେଳେ ଚକାପାଦ ବ୍ଲକରେ ୫୩ ମିମି , ଦାରିଙ୍ଗବାଡ଼ିରେ ୨୨ ମିମି , ଜି.ଉଦୟଗିରି ୪୦ ମିମି , ଖଜୁରିପଡ଼ାରେ ୩୯ ମିମି, କୋଟଗଡ଼଼ରେ ୪୬ ମିମି, କ.ନୂଆଗାଁରେ ୬୭.୪ ମିମି, ଫିରିଙ୍ଗିଆରେ ସର୍ବାଧିକ ୧୬୧.୬ ମିମି, ଫୁଲବାଣୀରେ ୮୦ ମିମି, ରାଇକିଆରେ ୬୨ ମିମି ଓ ଟିକାବାଲିାରେ ୪୯ ମିମି ଏବଂ ତୁମୁଡ଼ିବନ୍ଧରେ ୩୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । ତେବେ ବର୍ଷାର ପ୍ରଭାବରେ ଫୁଲବାଣୀ – ବାଲିଗୁଡ଼ାର ମୁଖ୍ୟ ରାସ୍ତା ବନ୍ଧଗଡ଼଼ ନିକଟରେ ଏକ ବିରାଟ ଗଛ ପଡ଼ିଯିବା ଫଳରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ପଡ଼ିଥିଲା । ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ ।

Leave a Reply

Your email address will not be published. Required fields are marked *