ପରିମଳ ବ୍ୟବସ୍ଥାରେ ଆବଶ୍ୟକୀୟ ସାମଗ୍ରୀ ନମିଳିବାରୁ ବାଲୁଗାଁ ଏନଏସି ଘେରାଉ କଲେ ସଫେଇ କର୍ମଚାରୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପରିମଳ ବ୍ୟବସ୍ଥାରେ ଆବଶ୍ୟକୀୟ ସାମଗ୍ରୀ ନମିଳିବାରୁ ବାଲୁଗାଁ ଏନଏସି ଘେରାଉ କଲେ ସଫେଇ କର୍ମଚାରୀ । ଆଜି ପୂର୍ବାହ୍ନରେ ଶତାଧିକ ଠିକା ସଫେଇ କର୍ମଚାରୀ ବାଲୁଗାଁ ଏନଏସି ଘେରାଉ କରିବା ସହ ପରିସରରେ ଚାପା ଉତ୍ତେଜନା ଲାଗି ରହିଥିଲା । ବାଲୁଗାଁ ଏନଏସିରେ ପରିମଳ ବ୍ୟବସ୍ଥା ନେଇ ସହରର ସ୍ଵଚ୍ଛତା ଓ ବିକଶିତ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏହାର ଘୋର ଅନିୟମିତତା ଦେଖିବାକୁ ମିଳୁଛି । ସ୍ଵଚ୍ଛତା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସାମଗ୍ରୀ ସାଙ୍ଗକୁ ଅନେକ କର୍ମଚାରୀ ନିୟୋଜିତ କରି ଆସୁଛନ୍ତି । ଏପରିକି ଆଧୁନିକିକରଣ ଉପାୟରେ ଲୋକଙ୍କ ଘରୁ ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ଓଦା ଏବଂ ଶୁଖିଲା ଅଳିଆ ଆବର୍ଜନା ଆଣି ତାହାକୁ ଏକତ୍ର କରି କମ୍ପୋଷ୍ଟ କରିବାପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଏ ସବୁର ଘୋର ବ୍ୟାଘାତ ସୃଷ୍ଟି ହୋଇଛି ବାଲୁଗାଁ ଏନ୍ଏସିରେ, ଯାହାକି ସିଧାସଳଖ ପ୍ରଭାବ ପଡୁଛି ବାଲୁଗାଁ ବାସିନ୍ଦାଙ୍କ ଉପରେ । ସୂଚନା ମୁତାବକ ବାଲୁଗାଁ ଏନ୍ଏସି ଅଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଏନ୍ଏସି ଏବଂ ଏଲ୍ ଆଣ୍ଡ କେ ସର୍ଭିସ ନାମକ ଏକ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତିପତ୍ର ହୋଇଛି । ଚୁକ୍ତି ଅନୁସାରେ ଉକ୍ତ କମ୍ପାନୀ ବାଲୁଗାଁ ସହରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଦୈନିକ ୩୨୬ ଟଙ୍କା ଦେୟରେ ସମୁଦାୟ ୬୫ ଜଣ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଏମାନଙ୍କୁ ତଦାରଖ କରିବା ପାଇଁ ଦୁଇ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଛି । ସଫେଇ କର୍ମଚାରୀଙ୍କ କହିବା ମୁତାବକ ଆମେ ଦୀର୍ଘ ଦିନ ହେଲା କାମ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆମକୁ କୌଣସି ପ୍ରକାରର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯାଉନାହିଁ । ୱାର୍ଡ ୱାର୍ଡ ବୁଲି ଖାଲି ହାତରେ ଅଳିଆ ଆବର୍ଜନା ଗୋଟାଉଛୁ । ଏପରିକି ଠେଲା ଗାଡିର ମଧ୍ୟ କୌଣସି ବ୍ୟବସ୍ତା କରାଯାଇନାହିଁ ।ଏସବୁ ଅଭିଯୋଗ ନେଇ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀଙ୍କୁ ଏସମ୍ବନ୍ଧରେ ଏବଂ ମାସିକ ପ୍ରାପ୍ୟ ବିଷୟରେ ଗୁହାରି କରିବାକୁ ଯାଇଥିବା ବେଳେ ଆମକୁ ଜାତିଆଣ କହି ଫେରାଇ ଦେଉଛନ୍ତି । ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ କେହି କାମ କରିବାକୁ ଯିବେ ନାହିଁ ବୋଲି ରୋକଠୋକ ମନା କହିଛନ୍ତି ସଫେଇ କର୍ମଚାରୀ ମାନେ । ଏସମ୍ବନ୍ଧରେ ବାଲୁଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନା ରାଣି ପାଢୀଙ୍କୁ ଯୋଗାଯୋଗ କରିବାରେ କୌଣସି ଜାତିଗତ ଆକ୍ଷେପ କରି ନଥିବା କହିଛନ୍ତି । ଏଥିସହିତ ଆଜି ଯେଉଁ ସମସ୍ୟା ଉପୁଜିଛି ସେ ନେଇ ଏନ୍ଏସି ତରଫରୁ ଉକ୍ତ କମ୍ପାନୀକୁ ତାଗିଦ କରିଛନ୍ତି । ଏହାର ଯଥାଶୀଘ୍ର ସମାଧାନ କରାଯିବା ସହ ଆଗାମି ଦିନରେ ଏପରି ବିଶୃଙ୍ଖଳା ସୃଷ୍ଟି ନହେବା ଦିଗରେ ଧ୍ୟାନ ଦେବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

Leave a Reply

Your email address will not be published. Required fields are marked *